Categories: ଖେଳ

ଭାରତ ୮ଉଇକେଟରେ ବିଜୟୀ

କଲମ୍ବୋ,୧୫ା୭(ପି.ଟି.): ଏସିସି ପୁରୁଷ ଏମର୍ଜିଂ କପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ‘ଏ’କୁ ୮ ଉଇକେଟରେ ପରାସ୍ତ କରଛି। ଅଧିନାୟକ ୟାଶ ଧୂଲଙ୍କ ଦ୍ରୁତ ଅପରାଜିତ ଶତକ ଏବଂ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ଯୋଗୁ ଦଳ ସହଜ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଧୂଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି ପ୍ରମାଣିତ ହୋଇଥିଲା ଡାହାଣହାତୀ ପେସ୍‌ ବୋଲର ରାଣା ଚମତ୍କାର ବୋଲିଂ କରି ୪୧ ରନ ବିନିମୟରେ ୪ଉଇକେଟ ଅକ୍ତିଆର କରିଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ ଆନ୍ଧ୍ର ପେସର ନୀତୀଶ କୁମାର ରେଡ୍ଡୀ (୨/୩୨) ଓ ବାମହାତୀ ରକ୍ଷଣଶୀଳ ବୋଲର ମାନବ ସୂତାର (୨/୨୮)। ନିର୍ଦ୍ଧାରିତ ୫୦ ଓଭରରେ ୟୁଏଇ ‘ଏ’ର ସ୍କୋର ୧୭୫/୯ରେ ସୀମିତ ହୋଇଯାଇଥିଲା। ଦଳର ମାତ୍ର ୩ଜଣ ବ୍ୟାଟରଙ୍କ ବିଶେଷ ଅବଦାନ ଥିଲା। ସେମାନେ ହେଲେ ଅଶ୍ୱନ୍ଥ ଭାଲ୍‌ଥାପା (୪୬ ରନ), ଓପନର ଆର୍ଯ୍ୟାଂଶ ଶର୍ମା (୩୮) ଓ ମହମ୍ମଦ ଫାରାଜୁଦ୍ଦିନ (୩୫)। ୧୭୬ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଭାରତ ‘ଏ’ ପ୍ରଥମ ୬ ଓଭରରେ ଦୁଇ ଓପନର ସାଇ ସୁଦର୍ଶନ (୮) ଓ ଅଭିଷେକ ଶର୍ମା (୧୯)ଙ୍କ ଉଇକେଟ ହରାଇଥିଲା। କିନ୍ତୁ ଧୂଲ (୧୦୮*) ଓ ନିକିନ୍‌ ଜୋସ୍‌ (୪୧*) ତୃତୀୟ ଉଇକେଟରେ ୧୩୮ରନ ଯୋଗ କରି ଦଳକୁ ସହଜ ବିଜୟ ଦେଇଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଧୂଲ ତାଙ୍କ ଇନିଂସରେ ମାତ୍ର ୮୪ଟି ବଲ୍‌ ସାମ୍ନା କରି ୨୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ।
ସଂକ୍ଷିପ୍ତ ସ୍କୋର
ୟୁଏଇ ‘ଏ’: ୫୦ ଓଭରରେ ୧୭୫/୯ (ଅଶ୍ୱନ୍ଥ ଭାଲ୍‌ଥାପା-୪୬, ଆର୍ଯ୍ୟାଂଶ ଶର୍ମା-୩୮, ମହମ୍ମଦ ଫାରାଜୁଦ୍ଦିନ- ୩୫; ହର୍ଷିତ ରାଣା-୪/୪୧, ମାନବ ସୂତାର-୨/୨୮, ନୀତୀଶ ରେଡ୍ଡୀ-୨/୩୨)। ଭାରତ ‘ଏ’: ୨୬.୩ ଓଭରରେ ୧୭୯/୨ (ୟାଶ ଧୂଲ-୧୦୮*, ନିକିନ ଜୋସ୍‌-୪୧*, ଅଲି ନାସିର-୧/୧୪)।

Share