Categories: ଖେଳ

ହରମନ୍‌ପ୍ରୀତଙ୍କ ହ୍ୟାଟ୍ରିକ୍‌ରେ ଭାରତ ବିଜୟୀ

ଆଣ୍ଟ୍ବେର୍ପ,୨୮ା୫(ପି.ଟି): ଅଧିନାୟକ ହରମନ୍‌ପ୍ରୀତ ସିଂଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ବଳରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଆର୍ଜେଣ୍ଟିନାକୁ ୫-୪ରେ ପରାସ୍ତ କରିଛି ଭାରତ। ହରମନ୍‌ପ୍ରୀତ୍‌ (୨୯, ୫୦ ଓ ୫୨) ମିନିଟରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରାଇଜିତ୍‌ ସିଂ ହୁଣ୍ଡାଲ(୭) ଓ ଗୁରଜନ୍ତ ସିଂ (୧୮) ମିନିଟରେ ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଆର୍ଜେଣ୍ଟିନା ପକ୍ଷରୁ ଫେଡେରିକୋ ମୋଞ୍ଜା(୩), ନିକୋଲାସ କେନ୍ନାନ(୨୪), ଟାଡେଓ ମାରୁସି(୫୪) ଓ ଲୁକାସ୍‌ ମାର୍ଟିନେଜ୍‌(୫୭ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଆର୍ଜେଣ୍ଟିନା ଅନ୍ତିମ ୩ ମିନିଟରେ ଦୁଇଟି ଗୋଲ ସ୍କୋର କରିଥିଲେ ହେଁ ଭାରତ ମ୍ୟାଚ୍‌କୁ ଡିଫେଣ୍ଡ କରିବାରେ ସମର୍ଥ ହୋଇଥିଲା।
ପ୍ରଥମ କ୍ୱାର୍ଟରରୁ ହିଁ ଭାରତ ବଲ୍‌ ଓ ଖେଳକୁ ନିୟନ୍ତ୍ରଣରେ ରଖିଥିଲା। ତୃତୀୟ ମିନିଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ଫେଡେରିକୋ ମୋଞ୍ଜା ପ୍ରଥମ ଗୋଲ ଦେଇଥିଲେ। ଏହାର ୪ ମିନିଟ ମଧ୍ୟରେ ଅରାଇଜିତ ସିଂ ହୁଣ୍ଡାଲ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପ୍ରଥମ କ୍ୱାର୍ଟର ୧-୧ରେ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ଗୁରଜନ୍ତ ସିଂ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ନିକୋଲାସ କେନ୍ନାନ ୨୪ ତମ ମିନିଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ। ୨୯ ତମ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଗୋଲରେ ପରିଣତ କରି ହରମନପ୍ରୀତ୍‌ ଭାରତକୁ ୩-୨ରେ ଆଗୁଆ କରିଥିଲେ। ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିବା ବେଳେ ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ହରମନ୍‌ପ୍ରୀତ୍‌ ଦୁଇଟି ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଚତୁର୍ଥ କ୍ୱାର୍ଟରର ୫୦ ଓ ୫୨ ମିନିଟ୍‌ରେ ଭାରତ ଦୁଇଟି ପେନାଲ୍ଟି କର୍ନର ଅର୍ଜନ କରିଥିଲା। ହରମନ୍‌ପ୍ରୀତ୍‌ ଏହାକୁ ଗୋଲ୍‌ରେ ପରିଣତ କରି ଭାରତକୁ ୫-୨ରେ ଆଗୁଆ କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ୬ ମିନିଟ୍‌ ଥିବା ବେଳେ ଟାଡେଓ ମାରୁସିଓ ଲୁକାସ୍‌ ମାର୍ଟିନେଜ୍‌ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

Share