
ନୂଆଦିଲ୍ଲୀ,୬ା୪: ବ୍ରାଜିଲର ଫଜ ଡୋ ଆଇଗୁଆକୁଠାରେ ଅନୁଷ୍ଠିତ ଓ୍ବାଲର୍ଡ ବକ୍ସିଂ କପ୍ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରମାନେ ୬ ପଦକ ଜିତିଛନ୍ତି। ପଦକ ତାଲିକାରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ସହିତ ୪ ବ୍ରୋଞ୍ଜ ରହିଛି।
ହିତେଶ ପ୍ରଥମ ଭାରତୀୟ ଭାବେ ଓ୍ବାଲର୍ଡ ବକ୍ସିଂ (ଡବ୍ଲ୍ୟୁବି) ଦ୍ୱାରା ଆୟୋଜିତ ଏଲିଟସ୍ତରୀୟ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୭୦ କେଜି ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲ ପୂର୍ବରୁ ତାଙ୍କ ପ୍ରତିପକ୍ଷ ବକ୍ସର ଇଂଲଣ୍ଡର ଓଡେଲ କମରା ଆହତ ସମସ୍ୟା ଯୋଗୁ ଓହରି ଯାଇଥିଲେ।
ଅଭିନାଶ ଜମ୍ବାଲ ୬୫ କେଜି କ୍ୟାଟେଗୋରୀ ଫାଇନାଲରେ ସ୍ଥାନୀୟ ଫେଭରାଇଟ ୟୁରି ରେଇଜ୍ଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଯଦୁମଣି ସିଂ ମାନଦେଙ୍ଗବାମ (୫୦ କେଜି), ମନୀଷ ରାଠୋର (୫୫ କେଜି), ସଚିନ (୬୦ କେଜି) ଓ ବିଶାଲ (୯୦ କେଜି) ବ୍ରୋଞ୍ଜ ପଦକ ଜିତିଛନ୍ତି।
ହିତେଶ ତାଙ୍କ ସଫଳତା ଲାଗି ଟୁର୍ନାମେଣ୍ଟ ପୂର୍ବରୁ ବ୍ରାଜିଲରେ ଅନୁଷ୍ଠିତ ୧୦ ଦିନିଆ ପ୍ରସ୍ତୁତି କ୍ୟାମ୍ପକୁ ଶ୍ରେୟ ଦେଇଛନ୍ତି। ଏହି କ୍ୟାମ୍ପ ଜରିଆରେ ମୁଁ ଅନେକ କିଛି ଶିଖିବାକୁ ପାଇଥିଲି। ଏହି ଟୁର୍ନାମେଣ୍ଟ ଆମକୁ ଶୀର୍ଷସ୍ତରରେ ଖୁବ୍ ଭଲ ପ୍ଲାଟଫର୍ମ ଯୋଗାଇଥିଲା ବୋଲି ସେ କହିଛନ୍ତି। ଓ୍ବାଲର୍ଡ ବକ୍ସିଂ କପ୍ ଲାଗି ଭାରତ ଏକ ୧୦ ଜଣିଆ ପୁରୁଷ ଦଳ ପଠାଇଥିଲା। ପ୍ୟାରିସ ଅଲିମ୍ପିକ୍ସ ପରେ ଏହା ଭାରତୀୟ ବକ୍ସରଙ୍କ ଲାଗି ପ୍ରଥମ ଶୀର୍ଷସ୍ତରୀୟ ଟୁର୍ନାମେଣ୍ଟ।