Categories: ଖେଳ

ବିଶ୍ୱ ଚାମ୍ପିୟନକୁ ଧୂଳି ଚଟେଇଲା ଭାରତ: ନେଲା ବିଶ୍ୱକପ୍‌ ପରାଜୟର ବଦ୍‌ଲା

ଅହମଦାବାଦ,୨୪ା୧୦: ଦିନକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଦୁଇ ପଦାର୍ପଣକାରୀ ଖେଳାଳି ସାଇମା ଠାକୁର ଓ ତେଜଲ ହସବନିସ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଟି୨୦ରେ ବିଶ୍ୱ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ୫୯ ରନ୍‌ରେ ପରାସ୍ତ କରିଛି ଭାରତ। ଟସ୍‌ ଜିତି ପ୍ରଥମେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୪.୩ ଓଭରରେ ୨୨୭ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୦.୪ ଓଭରରେ ୧୬୮ ରନ୍‌ରେ ଅଲଆଉଟ ହୋଇ ଯାଇଥିଲା।
ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ହରମନ୍‌ପ୍ରୀତ କୌରଙ୍କ ଅନୁପସ୍ଥିତିରେ ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ସ୍ମୃତି ମନ୍ଧାନା(୫) ରନ୍‌ରେ ଆଉଟ ହୋଇଥିଲେ। ଶେଫାଳି ବର୍ମା ୩୩ ଓ ୟସ୍ତିକା ଭାଟିଆ ୩୭ ରନ୍‌ କରି ଇନିଂସ ସଜାଡିଥିଲେ। ଦୟାଲାନ ହେମଲତା ୩ ରନ୍‌ରେ ଆଉଟ ହୋଇଥିବା ବେଳେ ଜେମିମା ରୋଡ୍ରିଗୁଏଜ ୩୫ ରନ୍‌ କରିଥିଲେ। ୯୧ ରନ୍‌ରେ ୪ ଉଇକେଟର ପତନ ପରେ କ୍ରିଜରେ ଯୋଗ ଦେଇଥିଲେ ଡେବ୍ୟୁଟାଣ୍ଟ ତେଜଲ। ଉଇକେଟ କିପର ବ୍ୟାଟର ତେଜଲ ଭାରତର ଟପ୍‌ ସ୍କୋରର ରହିବା ସହ ୪୨ ରନ୍‌ ସ୍କୋର କରିଥିଲେ। ୬୪ ବଲ ୍‌ ଖେଳି ସେ ୩ ଚୌକା ସହ ୪୨ ରନ କରିଥିଲେ। ଅନ୍ୟ ପକ୍ଷରେ ଅଲରାଉଣ୍ଡର ଦୀପ୍ତି ଶର୍ମା ୪୧ ରନ୍‌ କରିଥିଲେ। ଶେଷ ଭାଗରେ ବ୍ୟାଟରଙ୍କ ବିଫଳତା କାରଣରୁ ଭାରତ ମାତ୍ର ୨୨୭ ରନରେ ଅଲଆଉଟ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର୍‌ ୪, ଜେସ୍‌ କେର୍‌ ୩, ଏଡେନ୍‌ କାର୍ସନ ୨ ଓ ସୁଜି ବେଟ୍ସ ୧ ଉଇକେଟ ନେଇଥିଲେ।
୨୨୮ ରନ୍‌ ଲକ୍ଷ୍ୟରେ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୪୦.୪ ଓଭରରେ ୧୬୮ ରନ୍‌ ସ୍କୋର କରିଥିଲା। ଦଳ ପକ୍ଷରୁ ବ୍ରୁକ୍‌ ହାଲିଡେ ସର୍ବାଧିକ ୩୯ ରନ୍‌ କରିଥିବା ବେଳେ ମ୍ୟାଡି ଗ୍ରୀନ୍‌ ୩୧ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲରେନ୍‌ ଡାଉନ୍‌ ୨୬, ଜର୍ଜିଆ ପ୍ଲିମର ୨୫ ଓ ଆମେଲିଆ କେର୍‌୨୫* ରନ୍‌ କରିଥିଲେ। ଭାରତ ପକ୍ଷରୁ ରାଧା ଯାଦବ ସର୍ବାଧିକ ୩ ଉଇକେଟ ନେଇଥିଲେ। ପଦାର୍ପଣକାରୀ ସାଇମା ଅଭିଜ୍ଞ ସୁଜି ବେଟ୍ସ ଓ ବ୍ରୁକ୍‌ ହାଲିଡେଙ୍କୁ ଆଉଟ କରିଥିବା ବେଳେ ୩ଟି କ୍ୟାଚ୍‌ ମଧ୍ୟ ନେଇଥିଲେ। ଅରୁନ୍ଧତୀ ରେଡ୍ଡୀ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share