Categories: ଖେଳ

୨ ମ୍ୟାଚରୁ ବାଦ୍‌ ପଡିପାରନ୍ତି ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୨୫।୭: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ୨ ମ୍ୟାଚର ପ୍ରତିବନ୍ଧ ଲଗାଯାଇପାରେ। ଏହା ପଛର କାରଣ ହେଉଛି ବାଂଲାଦେଶ ମହିଳା ଦଳ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତି ସମ୍ପର୍କରେ ଦେଇଥିବା ବିବୃତ୍ତି। ଖେଳର ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଦଣ୍ଡ ଭାବରେ ହରମାନପ୍ରୀତଙ୍କୁ ୪ଟି ଡିମେରିଟ ପଏଣ୍ଟ ଦିଆଯାଇପାରେ ଏବଂ ଏହି କାରଣରୁ ସେ ଏସୀୟ ଗେମ୍ସର ପ୍ରଥମ ୨ମ୍ୟାଚରୁ ଦୂରରେ ରହିପାରନ୍ତି।

ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ମ୍ୟାଚ ଏକ ଟାଇରେ ଶେଷ ହେବା ପରେ ସିରିଜ ୧-୧ ଡ୍ରରେ ଶେଷ ହୋଇଥିଲା। ଏହି ମ୍ୟାଚରେ ନାହିଦା ଅଖତରଙ୍କ ବଲରେ ଭାରତୀୟ ଅଧିନାୟକ ଏଲବିଡବ୍ଲୁ ଆଉଟ ହୋଇଥିଲେ। ନିଜେ ପଡ଼ିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରି ହରମାନପ୍ରୀତ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଷ୍ଟମ୍ପରେ ତାଙ୍କ ବ୍ୟାଟ ମାରିଥିଲେ।

ଏହା ପରେ ହରମନପ୍ରୀତ ଉପସ୍ଥାପନା ସମାରୋହରେ ଅମ୍ପାୟାରମାନଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ଭାରତୀୟ ଅଧିନାୟକଙ୍କ ଏହି ବିବୃତ୍ତିରେ ବାଂଲାଦେଶ ଅଧିନାୟକ ନିଗର ସୁଲତାନା ରାଗିଯାଇ ତାଙ୍କ ଦଳକୁ ନେଇ ସେଠାରୁ ଚାଲିଯାଇଥିଲେ।

Share