Categories: ଖେଳ

ଭାରତ ମହିଳାର କ୍ରମାଗତ ବିଜୟ

ସିଲହଟ୍‌,୩।୧୦: ଓପ୍‌ନର ସାଭିନେନି ମେଘନାଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ ବଳରେ ଭାରତ ମହିଳା ଦଳ ଏସିଆ କପ୍‌ରେ କ୍ରମାଗତ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ଭାରତ ସୋମବାର ମାଲେସିଆକୁ ୩୦ ରନ୍‌ରେ ହରାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌କୁ ଡକ୍‌ଓ୍ବର୍ଥ ଲୁଇସ୍‌ ମାଧ୍ୟମରେ ୩୦ ରନ୍‌ରେ ଜିତିନେବା ସହ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସ୍ମୃତି ମନ୍ଧାନାଙ୍କ ଜାଗାରେ ଖେଳିଥିବା ମେଘନା କ୍ୟାରିୟରର ଶ୍ରେଷ୍ଠ ୬୯ ରନ୍‌ ଖେଳିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୪ ଉଇକେଟରେ ୧୮୧ ରନ୍‌ କରିଥିଲା। ଜବାବରେ ମାଲେସିଆ ୫.୨ ଓଭରରେ ୨ ଉଇକେଟରେ ୧୬ ରନ୍‌ କରିଥିବା ବେଳେ ବର୍ଷା କାରଣରୁ ଭାରତ ବିଜୟୀ ହୋଇଥିଲା।

ମାଲେସିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅପେକ୍ଷାକୃତ ଦୁର୍ବଳ ମାଲେସିଆର ବୋଲିଂ ଲାଇନଅପ୍‌ ବିପକ୍ଷରେ ଶେଫାଳି ବର୍ମା(୪୬) ଓ ମେଘନା ପ୍ରଥମ ଉଇକେଟରେ ଯୋଡ଼ିଥିଲେ ୮୩ ବଲ୍‌ରେ ୧୧୬ ରନ୍‌। ମେଘନା ୫୩ ବଲ୍‌ ଖେଳି ୧୧ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟପକ୍ଷରେ ଶେଫାଳି ୩୯ ବଲ୍‌ରେ ୧ ଚୌକା ଓ ୩ ଛକା ମାରିଥିଲେ। ବ୍ୟାଟିଂ କ୍ରମରେ ଆଗୁଆ ଆସିଥିବା ରିଚା ଘୋଷ୍‌ ମଧ୍ୟ ୧୯ ବଲ୍‌ରେ ଅପରାଜିତ ୩୩ ରନ୍‌ ସ୍କୋର କରିଥିଲେ। ଫଳରେ ଭାରତ ୧୮୧ ରନ୍‌ରେ ପହଞ୍ଚିଥିଲା। ମାଲେସିଆ ପକ୍ଷରୁ ନୁର ଦାନିଆ ସ୍ୟୁହାଦା ଓ କ୍ୟାପ୍‌ଟେନ୍‌ ଓ୍ବିନିଫ୍ରେଡ୍‌ ଦୁରାଇସିଙ୍ଗମ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୮୨ ରନ୍‌ ଲକ୍ଷ୍ୟର ପିଛା କରୁଥିବା ମାଲେସିଆ ୫.୨ ଓଭରରେ ୨ ଉଇକେଟ ହରାଇ ୧୬ ରନ୍‌ କରିଥିଲା। ଦୀପ୍ତି ଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିବା ବେଳେ ବର୍ଷା ହୋଇଥିଲା। ଡକ୍‌ଓ୍ବର୍ଥ ଲୁଇସ୍‌ ଅନୁସାରେ ମାଲେସିଆକୁ ୪୬ ରନ୍‌ର ଲକ୍ଷ୍ୟ ଦିଆଯାଇଥିଲା। କ୍ରମାଗତ ବିଜୟ ସହିତ ୪ ପଏଣ୍ଟ ପାଇ ପାକିସ୍ତାନ ପଛରେ ରହିଛି ଭାରତ।

Share