Categories: ଖେଳ

ମହିଳା ଭାରତୀୟ ଦଳର ବିଜୟ ଅଭିଯାନ

ଡାମ୍ବୁଲା,୨୩।୬: ଡାମ୍ବୁଲାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୩୪ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହି ବିଜୟ ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୩୮ ରନ୍‌ କରିଥିବା ବେଳେ ଘରୋଇ ଶ୍ରୀଲଙ୍କା ୫ ଉଇକେଟ ହରାଇ ୧୦୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ଆରମ୍ଭରୁ ଡବଲ ଝଟ୍‌କା ଲାଗିଥିଲା। ଚତୁର୍ଥ ଓଭରରେ କ୍ରମାଗତ ବଲରେ ସ୍ମୃତି ମନ୍ଧାନା(୧) ଓ ସାବିନେନି ମେଘନା (୦) ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପ୍ୟାଭିଲିଅନ ଫେରିଥିଲେ ୩୧ ବଲରେ ୩୧(୪ ଚୌକା) ରନ୍‌ କରିଥିବା ଶେଫାଳୀ ବର୍ମା। ଅଧିନାୟକ ହରମନ(୨୨ ରନ, ୩ ଚୌକା) ମଧ୍ୟ କିଛି ଖାସ କରିପାରି ନ ଥିଲେ। ଭାରତୀୟ ଦଳ ୧୭ ଓଭରରେ ୧୦୬ ରନ୍‌ରେ ପ୍ରମୁଖ ୬ ବ୍ୟାଟରଙ୍କ ଉଇକେଟ ହରାଇ ସଙ୍କଟରେ ଥିଲା। ଅନ୍ତିମ ୩ ଓଭରରେ ଦଳକୁ ଭଲ ଫିନିଶିଂ ପ୍ରଦାନ କରିଥିଲେ ଜେମିମ୍ମା ରୋଡ୍ରିଗୁଏଜ ଓ ଦୀପ୍ତି ଶର୍ମା। ରୋଡ୍ରିଗୁଏଜ ୨୭ ବଲରେ ୩୬ (୩ ଚୌକା ଓ ୧ ଛକା) ଓ ଦୀପ୍ତି ୮ ବଲରେ ୧୭ (୩ ଚୌକା) ରନ୍‌ କରି ଅପରାଜିତ ଥିଲେ। ଫଳରେ ଭାରତ ୨୦ ଓଭରରେ ୬ ଉଇକେଟରେ ୧୩୮ ରନ୍‌ କରିପାରିଥିଲା। ଘରୋଇ ଦଳ ପାଇଁ ରାଣାଓ୍ବିରା ୩ ଏବଂ ଓ ରାଣାସିଂଙ୍ଘେ ୨ ଉଇକେଟ ନେଇଥିଲେ। ଜବାବରେ ପ୍ରାରମ୍ଭିକ ବିପର୍ଯ୍ୟୟ ଏବଂ ଭାରତୀୟ ବୋଲରଙ୍କ ମାପଚୁପ୍‌ ବୋଲିଂ ଯୋଗୁ ଶ୍ରୀଲଙ୍କା କଦାପି ଆବଶ୍ୟକ ରନ୍‌ ହାର ପାଖାପାଖି ପହଞ୍ଚି ପାରି ନ ଥିଲା। ଘରୋଇ ଦଳ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୦୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ କାବିଶା ଦିଲହାରୀ ୪୭ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ।

Share