Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ, ୨୮।୦୬: ଭାରତୀୟ ମହିଳା କ୍ରିକେଟ ଦଳ ଟେଷ୍ଟ ଇତିହାସରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏକ ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରି ଭାରତ ଏହି ବିଶ୍ୱ ରେକର୍ଡ ନିଜ ନାମରେ କରିଛି । ଚେନ୍ନାଇର ଚେପାକ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ୪ ୱିକେଟ ବିନିମୟରେ ୫୨୫ ରନ ସଂଗ୍ରହ କରିଛି । ଶେଫାଳୀ ବର୍ମା ଦ୍ୱିଶତକ ହାସଲ କରିଥିବାବେଳେ ସ୍ମୃତି ମାନ୍ଦନା ୧୪୯ ରନକରି ପାଭିଲିୟନକୁ ଫେରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ୱିକେଟ ପାଇଁ ୨୯୨ ରନର ଭାଗିଦ୍ରୀ ଖେଳି ରେକର୍ଡ କରିଥିଲେ।

ମହିଳା ଟେଷ୍ଟ କ୍ରିକେଟ ରେ ଗୋଟିଏ ଦିନରେ ଏହା ସର୍ବାଧିକ ସ୍କୋର । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା। ୧୯୩୫ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ ୱିକେଟ ବିନିମୟରେ ଦଳ ୪୩୧ ରନ ସଂଗ୍ରହ କରିଥିଲା। ଅନ୍ୟପଟେ ୨୦ ବର୍ଷୀୟ ଶାଫାଳୀ ବର୍ମା ମାତ୍ର ୧୯୪ଟି ବଲରେ ନିଜର ଦ୍ୱିଶତକ ପୂରଣ କରି ପଡ଼ିଆ ଛାଡିଥିଲେ। ଜଣେ ଅଷ୍ଟ୍ରେଲୀୟ ଖେଳାଳି ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୪୮ ବଲରେ ଦ୍ୱିଶତକ ହାସଲ କରିଥିଲେ। ୫ତମ ଟେଷ୍ଟ ଖେଳୁଥିବା ଶେଫାଳୀ ତାଙ୍କ ଆକ୍ରମଣାତ୍ମକ ଇନିଂସରେ ୨୩ଟି ଚୌକା ଓ ୮ଟି ଛକା ମାରିଥିଲେ । ଏହାପୂର୍ବରୁ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୯୬ ରନ ଥିଲା। ଭାରତୀୟ ମହିଳା ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜଙ୍କ ପରେ ଦ଼୍ବିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ଏହି ଦ଼୍ବି ଶତକ ହାସଲ କରିଛନ୍ତି ।

Share