Categories: ଖେଳ

ଭାରତକୁ ୨ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୯ (କ୍ରୀଡ଼ା ପ୍ରତିନିଧି):ଜର୍ଜିଆର ବାଟୁମିଠାରେ ବିଶ୍ୱ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ୮ ବର୍ଷରୁ କମ୍‌ (ବାଳିକା ଓ ବାଳକ), ୧୦ ବର୍ଷରୁ କମ୍‌ (ବାଳିକା ଓ ବାଳକ) ଓ ୧୨ ବର୍ଷରୁ କମ୍‌ (ବାଳିକା ଓ ବାଳକ) ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ମୋଟ ୭୪୭ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ଭାରତରୁ ୨୫ ଜଣ ପ୍ରତିନିଧିତ୍ୱ କରିଥିଲେ। ଭାରତ ଏହି ପ୍ରତିଯୋଗିତାରୁ ୨ ସ୍ବର୍ଣ୍ଣ ଓ ୧ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ପାଇଁ ଗର୍ବର କଥା ହେଉଛି ଯେ, ଜଣେ ଓଡ଼ିଆ ଝିଅ କ୍ୟାଣ୍ଡିଡେଟ ମାଷ୍ଟର ଅପରାଜିତା ଗୋଚ୍ଛିକାର ବାଳିକା ଦଳର ପ୍ରଶିକ୍ଷକ ଥିଲେ। ତାମିଲନାଡୁର ସୁବ୍ରମଣ୍ୟନ୍‌ ଏସ.ସି. ବାଳକ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେଶନ୍‌ (ଏଆଇସିଏଫ୍‌)ର ସମ୍ପାଦକ ବିପନେଶ ଭରଦ୍ୱାଜ ପ୍ରତିନିଧି ଦଳର ମୁଖ୍ୟ ଭାବେ ଯୋଗ ଦେଇଥିଲେ।
୧୨ ବର୍ଷରୁ କମ୍‌ ବାଳିକା ବର୍ଗରେ ଏଏଫ୍‌ଏମ୍‌ ଶୁଭି ଗୁପ୍ତା ସ୍ବର୍ଣ୍ଣ, ୮ ବର୍ଷରୁ କମ୍‌ ବାଳିକା ବର୍ଗରେ ଚାରଭି ଏ. ସ୍ବର୍ଣ୍ଣ ଏବଂ ୮ ବର୍ଷରୁ କମ୍‌ ଓପନ୍‌ ବର୍ଗରେ ଏଏଫ୍‌ଏମ୍‌ ସାଫିନ୍‌ ସଫରୁଲ୍ଲାଖାନ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅପରାଜିତାଙ୍କ ପ୍ରଶିକ୍ଷଣରେ ଉଭୟ ଚାରଭି ଓ ଶୁଭି ଶ୍ରେଷ୍ଠ ସଫଳତା ପାଇଛନ୍ତି। ମୋଟ ପଦକ ତାଲିକାରେ ରୁଷିଆ (ଫିଡେ ଭାବେ ପ୍ରତିନିଧିତ୍ୱ କରୁଥିବା) ୨ଟି ସ୍ବର୍ଣ୍ଣ, ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛି। ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୨ ସ୍ବର୍ଣ୍ଣ ପଦକ ଜିତି ଫ୍ରାନ୍ସ ତୃତୀୟ ସ୍ଥାନରେ ରହିଛି।

Share