Categories: ଖେଳ

ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ

ଅହମ୍ମଦାବାଦ,୧୩।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି। ଫଳରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବଜା କରିଛି। ନାଗପୁର ଏବଂ ଦିଲ୍ଲୀରେ ଟେଷ୍ଟ ମ୍ୟାଚ୍‌ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଥିଲା। ହେଲେ ଇନ୍ଦୋର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଟେଷ୍ଟ ସିରିଜରେ ୨-୧ ସ୍ଥିତିକୁ ଚାଲିଆସିଥିଲା। ଏବେ ଚତୁର୍ଥ ଟେଷ୍ଟ ଡ୍ର ରହିବାରୁ ଭାରତ ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ବିଜୟୀ ହୋଇଛି।

ପ୍ରଥମ ଇନିଂସରେ ୧୮୬ ରନ୍‌ର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ମ୍ୟାଚ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ବିରାଟ ମ୍ୟାଚର ଚତୁର୍ଥ ଦିନରେ ଶତକ ହାସଲ କରିଥିଲେ। ଦୀର୍ଘ ଦିନ ପରେ ବିରାଟଙ୍କ ବ୍ୟାଟରୁ ଟେଷ୍ଟ ଶତକ ଦେଖିବାକୁ ମିଳିଥିଲା। ସେହିପରି ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନଙ୍କୁ ମିଳିତ ଭାବେ ମ୍ୟାନ ଅଫ୍‌ ଦି ସିରିଜ ପୁରସ୍କୃତ କରାଯାଇଛି।

ଅନ୍ୟପକ୍ଷେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍‌ ଜିତିବାରୁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବାର ସୁଯୋଗ ପାଇଛି। ଅଷ୍ଟ୍ରେଲିଆ ଓ ଭାରତ ଜୁନ ୭ରୁ ଲଣ୍ଡନର ଓଭାଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ।

ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଉସମାନଙ୍କ ୧୮୦ ଓ କାମେରନଙ୍କ ୧୧୪ ରନ୍‌ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍‌ କରିଥିଲା। ଜବାବ ଭାରତ ବିରାଟ କୋହଲିଙ୍କ ୧୮୬ ଏବଂ ଶୁବମନ ଗିଲଙ୍କ ୧୨୮ ରନର ଦମ୍‌ଦାର ପ୍ରଦର୍ଶନ ଯୋଗୁ ଭାରତ ପ୍ରଥମ ଇନିଂସରେ ୫୭୧ ରନ୍‌ କରିଥିଲା। ହେଲେ ଅଷ୍ଟ୍ରେଲିଆ ପଞ୍ଚମ ଦିନରେ ଦ୍ୱିତୀୟ ଇନିଂସରେ ୧୭୫ ରନ୍‌ କରି ୨ ଉଇକେଟ ହରାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅମ୍ପାୟରଙ୍କ ନିଷ୍ପତି କ୍ରମେ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା।

Share