Categories: ଖେଳ

ସୁପର୍‌-୪ରେ ଭାରତ

ପାଲେକେଲ୍‌,୫ା୯: ଚଳିତ ଏସିଆ କପ୍‌ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ। ସୋମବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ନେପାଳ ୪୮.୨ ଓଭରରେ ୨୩୦ ରନ୍‌ରେ ଅଲଆଉଟ ହୋଇଥିଲା। ବର୍ଷା ଯୋଗୁ ଖେଳ ଅନେକ ସମୟ ବାଧାପ୍ରାପ୍ତ ହେବାରୁ ମ୍ୟାଚକୁ ୨୩ ଓଭରକୁ ହ୍ରାସ କରାଯାଇଥିଲା ଏବଂ ଭାରତ ସମ୍ମୁଖରେ ୧୪୫ ରନ୍‌ର ଲକ୍ଷ୍ୟ ରଖା ଯାଇଥିଲା। ଏହି ବିଜୟ ଲକ୍ଷ୍ୟକୁ ଭାରତ ୨୦.୧ ଓଭରରେ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା। ୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍‌ ‘ଏ’ରେ ଦ୍ୱିତୀୟ ଦଳଭାବେ ସୁପର୍‌-୪ରେ ପ୍ରବେଶ କରିଛି। ଏହି ଗ୍ରୁପ୍‌ରେ ପାକିସ୍ତାନ ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ନେପାଳ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଟୁର୍ନାମେଣ୍ଟରୁ ବିଦାୟ ନେଇଛି।
ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ। କୁଶାଲ ଭୁର୍ଟେଲ(୩୮) ଓ ଆସିଫ୍‌ ଶେଖ(୫୮) ପ୍ରଥମ ଉଇକେଟରେ ୬୫ ରନ୍‌ ଯୋଡିଥିଲେ। ଭାରତୀୟ ଫିଲ୍ଡର ମାନେ ୩ଟି କ୍ୟାଚ୍‌ ହାତଛଡା କରିଥିଲେ। ମିଡିଲ ଓଭରରେ ଜାଡେଜାଙ୍କ ଘାତକ ବୋଲିଂ ବଳରେ ନେପାଳ ୧୦୧ ରନରେ ୪ ଉଇକେଟ ହରାଇଥିଲା। ତେବେ ଆଶିଫ୍‌ ଶେଖ୍‌ ୯୭ ବଲ୍‌ ଖେଳି ୮ ଚୌକା ସହ ୫୮ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ନିମ୍ନକ୍ରମରେ ଗୁଲଶନ ଝା ୨୩, ଦୀପେନ୍ଦର ସିଂ ୨୯ ଓ ସୋମପାଲ କାମି ୪୮ ରନ୍‌ର ଇନିଂସ ଖେଳିବାରୁ ନେପାଳ ୨୩୦ ରନ୍‌ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ୩ ଲେଖାଏ ଉଇକେଟ ନେଇଥିଲେ। କୁଲଦୀପ ଯାଦବ କଞ୍ଜୁସ ବୋଲିଂ କରିଥିଲେ ମଧ୍ୟ ଉଇକେଟ ପାଇ ନ ଥିଲେ। ଅନ୍ୟ ପକ୍ଷରେ ମହମ୍ମଦ ସିରାଜ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶାର୍ଦ୍ଦୂଳ ଠାକୁର, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ଶାମି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ବର୍ଷା କାରଣରୁ ଡର୍କଓ୍ବର୍ଥ ଲୁଇସ୍‌ ମେଥଡ୍‌ ଅନୁଯାୟୀ ଭାରତକୁ ସଂଶୋଧିତ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ରୋହିତ ଶର୍ମା(୭୪*) ଓ ଶୁବମାନ ଗିଲ୍‌(୬୭*) ପ୍ରଥମ ଉଇକେଟରେ ଶତକୀୟ ଭାଗୀଦାରି କରିଥିଲେ। ଉଭୟ ୧୨୧ ବଲ୍‌ ଖେଳି ୧୪୭ ରନ୍‌ ଯୋଡିଥିଲେ। ରୋହିତ ୫୯ ବଲର ସମ୍ମୁଖୀନ ହୋଇ ୫ ଛକା ଓ ୬ ଚୌକା ସହିତ ୭୪ ଓ ଗିଲ୍‌ ୬୨ ବଲ୍‌ ଖେଳି ୮ ଚୌକା ଓ ୧ ଛକା ମାରି ୬୭ ରନ୍‌ ସ୍କୋର କରିଥିଲେ।
ସଂକ୍ଷିପ୍ତ ସ୍କୋର
ନେପାଳ ୪୮.୨ ଓଭରରେ ୨୩୦/୧୦ (ଆସିଫ୍‌ ଶେଖ୍‌-୫୮, ସୋମପାଲ କାମି-୪୮, କୁଶାଲ ଭୁର୍ଟେଲ-୩୮, ରବୀନ୍ଦ୍ର ଜାଡେଜା-୩/୪୦, ମହମ୍ମଦ ସିରାଜ-୩/୬୧, ଶାର୍ଦ୍ଦୂଳ ଠାକୁର-୧/୨୬)। ଭାରତ ୨୦.୧ ଓଭରରେ ୧୪୭/୦ (ରୋହିତ ଶର୍ମା-୭୪*, ଶୁବମନ୍‌ ଗିଲ୍‌-୬୭*)।

Share