Categories: ଖେଳ

୧୦ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୮।୮: ଭାରତର ବିଜୟ ସହ ଆରମ୍ଭ ହୋଇଛି ଜିମ୍ବାଓ୍ବେ ଗସ୍ତ। ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୧୦ ଉଇକେଟରେ ଜିତି ନେଇଛି। ୧୯୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ପକ୍ଷରୁ ଦୁଇ ଓପନର ଶିଖର ଧାଓ୍ବନଙ୍କ ୮୧ ରନ୍‌ ଏବଂ ଶୁବମାନ ଗିଲଙ୍କ ୮୨ ରନ୍‌ର ଦମ୍‌ଦାର ଇନିଂସ ଫଳରେ ଦଳ ୩୦.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟ ସହ ଗୋଟିଏ ବର୍ଷରେ ଦୁଇଟି ୧୦ ଉଇକେଟ ବିଜୟ ହାସଲ କରିବାରେ ପ୍ରଥମ ଦଳ ସାବ୍ୟସ୍ତ ହୋଇଛି ଭାରତ।

ଟସ୍‌ ଜିତି ଅଧିନାୟକ ରାହୁଲ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଜିମ୍ବାଓ୍ବେ ଟପ୍‌ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ ଦୀପକ ଚହର ଓ ମହମ୍ମଦ ସିରାଜ। ଉଭୟଙ୍କ ଘାତକ ବୋଲିଂ ବଳରେ ଘରୋଇ ଦଳ ୩୧ ରନରେ ୪ଟି ଏବଂ ୬୬ ରନରେ ୫ ଉଇକେଟ ହରାଇଥିଲା। ଏପରି ସ୍ଥିତିରେ ଦଳ ୧୫୦ ରନ ପାର କରିବା ନେଇ ଆଶଙ୍କା ଦେଖାଦେଇଥିଲା। ତେବେ ୯ମ ଉଇକେଟରେ ୭୦ ରନ୍‌ ଯୋଡିଥିଲେ ଚିଚାର୍ଡ ଏନଗାରଭା(୩୩) ଓ ବ୍ରାଡ ଏଭାନ୍ସ(୩୨*)। ଫଳରେ ଜିମ୍ବାଓ୍ବେ ୧୮୯ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ୩ଟି ଲେଖାଏଁ ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ଉଇକେଟ ନେଇଥିଲେ।

Share