Categories: ଖେଳ

ସିରିଜ କବ୍‌ଜାରେ ଭାରତ

ଗୁଆହାଟୀ,୨।୧୦: ସ୍ଥାନୀୟ ବର୍ଷାପଡା ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ହାଇସ୍କୋରିଂ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୧୬ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି ଭାରତ।

ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ଦମ୍‌ଦାର ଇନିଂସ ବଳରେ ଭାରତ ୨୩୭ର ବଡ଼ ସ୍କୋର କରିଥିଲା। ହେଲେ ଦକ୍ଷିଣ ଆଫ୍ରିକା ଲାଗି ମ୍ୟାଚ ଜିତିବାକୁ ୨୩୮ ରନ୍‌ର ଆବଶ୍ୟକ ଥିଲା। ଦକ୍ଷିଣ ଆଫ୍ରିକା ମ୍ୟାଚ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ୱିତୀୟ ଓଭରରେ ଅଧିନାୟକ ଟେମ୍ବା ବଭୁମା(୦) ଓ ରିଲି ରୁଷୋ(୦)ଙ୍କୁ ଆଉଟ କରିଥିଲେ ଅର୍ଶଦୀପ ସିଂ। ୧୯ ବଲରୁ ୩୩ ରନ୍‌ କରିଥିବା ଏଡେନ୍‌ ମାରକ୍ରାମଙ୍କୁ ଅକ୍ଷର ପଟେଲ ବୋଲ୍ଡ କରି ସାଉଥ୍‌ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଡେଭିଡ୍‌ ମିଲର(୧୦୬*) ଓ କ୍ୱିଣ୍ଟନ୍‌ ଡି କକ୍‌(୬୯*) ଅସମାପ୍ତ ଚତୁର୍ଥ ଉଇକେଟରେ ୧୭୪ ରନ୍‌ ଯୋଡିଥିଲେ। ମିଲର ୪୭ ବଲ ଖେଳି ୮ ଚୌକା ଓ ୭ ଛକା ମାରିଥିଲେ। ଅନ୍ୟପକ୍ଷରେ ଡିକକ୍‌ ସାମାନ୍ୟ ଧିମା ଖେଳିବା ସହିତ ୪୮ ବଲ ଖେଳି ୩ ଚୌକା ଓ ୪ ଛକା ମାରିଥିଲେ। ଅନ୍ତିମ ଓଭରରେ ୩୭ ରନ୍‌ ଆବଶ୍ୟକ ଥିବା ବେଳେ ଅକ୍ଷର ପଟେଲ ବୋଲିଂ କରିଥିବା ଓଭରରୁ ୨୦ ରନ୍‌ ସଂଗୃହୀତ ହୋଇଥିଲା। ହେଲେ ଡାଭିଡ ମିଲରଙ୍କ ଶତକ ଏବଂ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟାର୍ଗେଟକୁ ହାସଲ କରିବାରେ ବିଫଳ ହୋଇଛି ଦକ୍ଷିଣ ଆଫ୍ରିକା ।

Share