Categories: ଖେଳ

ଭାରତର ବୃହତ୍‌ ବିଜୟ

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବର୍ଷା ବାଧାପ୍ରାପ୍ତ ସୁପର-୪ ମ୍ୟାଚରେ ଭାରତ ୨୨୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଦୁଇ ଦିନରେ ଶେଷ ହୋଇଥିବା ଏହି ମ୍ୟାଚରେ ଭାରତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬ ରନ କରିଥିବାବେଳେ ପାକିସ୍ତାନ ୩୨ ଓଭରରେ ୮ ଉଇକେଟ ହରାଇ ୧୨୮ ରନରେ ସୀମିତ ରହିଥିଲା। ଆହତ ସମସ୍ୟା ଯୋଗୁ ହାରିସ ରୌଫ ଓ ନସିମ ଶାହା ବ୍ୟାଟିଂପାଇଁ ଆସିପାରି ନ ଥିଲେ। ଦଳ ପକ୍ଷରୁ ଫଖର ଜମନ ସର୍ବାଧିକ ୨୭ ରନ କରିଥିଲେ। ଭାରତୀୟ ସ୍ପିନର କୁଲଦୀପ ଯାଦବ ୨୫ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ପାକିସ୍ତାନ ବିପକ୍ଷରେ ଭାରତର ଏହା ସର୍ବ ବୃହତ୍‌ ବିଜୟ। ପୂର୍ବରୁ ୨୦୦୮ରେ ମୀରପୁରରେ ୧୪୦ ରନର ବିଜୟ ସର୍ବାଧିକ ଥିଲା।
ରବିବାର ବର୍ଷା ଯୋଗୁ ଖେଳ ବନ୍ଦ ରହିବା ବେଳକୁ ଭାରତ ୨୪.୧ ଓଭରରେ ୨ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ସୋମବାର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ ହୋଇଥିଲା। ବିରାଟ କୋହଲି ଓ ଲୋକେଶ ରାହୁଲ ପୁରା ୨୫.୫ ଓଭର ଖେଳି ଭାରତପାଇଁ ବଡ଼ ସ୍କୋର ଛିଡ଼ା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅସମାପ୍ତ ତୃତୀୟ ଉଇକେଟରେ ଦୁହେଁ ୨୩୩ ରନର ଭାଗୀଦାରି ଗଢ଼ିବାରୁ ଭାରତ ସ୍କୋର ୩୫୦ ଅତିକ୍ରମ କରି ଯାଇଥିଲା। ଏହି ଅବସରରେ ଦୁହେଁ ଶତକ ମଧ୍ୟ ହାସଲ କରିଥିଲେ। କୋହଲି କ୍ୟାରିୟରର ୪୭ତମ ଦିନିକିଆ ଶତକ ହାସଲ କରିଥିବାବେଳେ ୧୩,୦୦୦ ରନର ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରିଥିଲେ। ୮୪ ବଲ୍‌ରୁ ୧୦୦ ରନ ପୂରଣ କରିଥିବା କୋହଲି ମୋଟ ୯୪ଟି ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୩ ଛକା ସହାୟତାରେ ୧୨୨ ରନକରି ଅପରାଜିତ ରହିଥିଲେ। ଲୋକେଶ ରାହୁଲଙ୍କ ପାଇଁ ଏହି ମ୍ୟାଚଥିଲା ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ସେ ଆହତ ସମସ୍ୟାରୁ ମୁକୁଳିବାପରେ ଏଠାରେ ପ୍ରଥମ ମ୍ୟାଚ ଖେଳିଥିଲେ। ମାତ୍ର ଦକ୍ଷତାର ଭରପୂର ଉପଯୋଗ କରି ନିଜ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ହିଁ କ୍ୟାରିୟରର ୭ମ ଦିନିକିଆ ଶତକ ହାସଲ କରିଥିଲେ ନିର୍ଭରଯୋଗ୍ୟ ରାହୁଲ। ସେ ୧୦୬ ବଲ୍‌ରୁ ୧୧୧ (୧୨ ଚୌକା, ୨ ଛକା) ରନ୍‌ କରି ଅପରାଜିତ ରହିଥିଲେ।

Share