Categories: ଖେଳ

୨-୧ରେ ସିରିଜ ଜିତିଲା ଭାରତ

ହାଇଦ୍ରାବାଦ,୨୫।୯: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଛି।

ଅଷ୍ଟ୍ରେଲିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିଥିବା ବେଳେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୬ ରନ କରିଥିଲା। ଜବାବରେ ଭାରତ ୧୯.୫ ଓଭରରେ ୪ ଉଇକେଟ ହରାଇ ୧୮୭ ରନ ସଂଗ୍ରହ କରି ନେଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୧ ରନ୍‌ ଆବଶ୍ୟକ ଥିବାବେଳେ ଡାନିଏଲ ସାମ୍ସଙ୍କ ପ୍ରଥମ ବଲ୍‌କୁ ଛକା ମାରିବା ପରେ ଦ୍ୱିତୀୟ ବଲ୍‌ରେ ଆଉଟ ହୋଇଥିଲେ ବିରାଟ। ସେ ୪୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା, ୪ ଛକା ସହ ୬୩ ରନ୍‌ କରିଥିଲେ। ୩ୟ ବଲ୍‌ରୁ ଦୀନେଶ କାର୍ତ୍ତିକ ୧ ରନ୍‌ କରିଥିବା ବେଳେ ୪ର୍ଥ ବଲ୍‌କୁ ଡକ୍‌ ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଫଳରେ ମ୍ୟାଚ୍‌ରେ ଉତ୍କଣ୍ଠା ଦେଖାଦେଇଥିଲା। ୫ମ ବଲ୍‌କୁ ଚୌକାରେ ପରିଣତ କରି ହାର୍ଦ୍ଦିକ ଭାରତକୁ ରୋମାଞ୍ଚକ ବିଜୟ ଦେଇଥିଲେ। ହାର୍ଦ୍ଦିକ ୨୫ (୧୬ ବଲ, ୨ ଚୌକା, ୧ ଛକା) ଓ କାର୍ତ୍ତିକ ୧ ରନ୍‌ କରି ଉଭୟ ଅପରାଜିତ ରହିଥିଲେ।

Share