Categories: ଖେଳ

ନେପାଳକୁ ହରାଇ ଭାରତ ସେମିରେ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ (କାଭା) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ସେମିଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ପ୍ରିଲିମିନାରି ଲିଗ୍‌ ମ୍ୟାଚରେ ଆୟୋଜକ ନେପାଳକୁ ୩-୧ (୨୫-୧୨, ୨୬-୨୪, ୨୧-୨୫, ୨୫-୨୧) ସେଟ୍‌ରେ ହରାଇ ଭାରତ ଆଗକୁ ବଢ଼ିଛି। ପୁଲ୍‌-ଏ ଟେବୁଲରେ ଭାରତ ଶୀର୍ଷସ୍ଥାନ ଅଧିକାର କରିଛି। ନେପାଳ ବିପକ୍ଷ ମ୍ୟାଚରେ ଭାରତ ବିଜୟରେ ବ୍ଲକର ଅଶ୍ୱିନ ଓ ସୋର୍ଯ୍ୟା, ଆଟାକର ଅନୁଶ୍ରୀ, ଅଲ୍‌ରାଉଣ୍ଡର ଜିନ୍‌ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପରାଜିତ ହେବା ସତ୍ତ୍ୱେ ନେପାଳ ସେମିଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୨୬ ତାରିଖରେ ପ୍ରଥମ ସେମିଫାଇନାଲରେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ମୁକାବିଲା ହେବ। ସେହିଦିନ ଦ୍ୱିତୀୟ ସେମିରେ ନେପାଳ ଓ କାଜାଖସ୍ତାନ ପରସ୍ପରକୁ ଭେଟିବେ। ଭଲିବଲ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଗତ ୨୨ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

 

Share