Categories: ଖେଳ

ହରମନ୍‌ପ୍ରୀତଙ୍କ ଅର୍ଦ୍ଧଶତକରେ ଜିତିଲା ଭାରତ

ମୀରପୁର, ୧୦ା୭(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତକୁ ଜିତାଇଛନ୍ତି ଅଧିନାୟିକା ହରମନ୍‌ପ୍ରୀତ କୌର ଓ ସ୍ପିନର। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ମାତ୍ର ୧୧୪ ରନ୍‌ରେ ସୀମିତ ରଖିବା ପରେ ହରମନ୍‌ପ୍ରୀତଙ୍କ ଅପରାଜିତ ୫୪ ରନ୍‌ ବଳରେ ଭାରତ ୩ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।
ରବିବାର ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ବାଂଲାଦେଶର ଦୁଇ ଓପନର ସାଥୀ ରାଣୀ(୨୨) ଓ ଶମିମା ସୁଲତାନା(୧୭) ପ୍ରଥମ ଉଇକେଟରେ ୨୭ ରନ୍‌ ଯୋଡିଥିଲେ। ଭାରତ ପାଇଁ ପଦାର୍ପଣ କରିଥିବା କେରଳର ମିନ୍ନୁ ମଣି ସୁଲତାନାଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ଶୋଭନା ମୋଷ୍ଟାରେଙ୍କ ସହିତ ୨୫ ରନ୍‌ ଯୋଡିବା ପରେ ରାଣୀଙ୍କୁ ଆଉଟ କରିଥିଲେ ପୂଜା ବସ୍ତ୍ରକାର। ଶେଷ ଆଡକୁ ଶୋରନା ଅଖତର ୨୮ ରନ୍‌ କରିବାରୁ ବାଂଲାଦେଶ ୧୦୦ ରନ୍‌ ପାର କରିଥିଲା। ଭାରତ ପକ୍ଷରୁ ମିନ୍ନୁ ମଣି, ପୂଜା ବସ୍ତ୍ରକାର ଓ ଶେଫାଳି ବର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବାଂଲାଦେଶ ୫ ଉଇକେଟ ହରାଇ ୧୧୪ ରନ୍‌ କରିଥିଲା।
୧୧୫ ରନ୍‌ ଲକ୍ଷ୍ୟରେ ଭାରତର ଆରମ୍ଭ ଆଦୌ ଭଲ ରହି ନ ଥିଲା। ମାତ୍ର ୧ ରନ୍‌ରେ ଶେଫାଳି ବର୍ମାଙ୍କ ଉଇକେଟ ହରାଇଥିଲା ଭାରତ। ଦଳୀୟ ସ୍କୋର ୨୧ ରନ୍‌ରେ ଜେମିମା ରୋଡ୍ରିଗୁଏଜ(୧୧) ଆଉଟ ହୋଇଥିଲେ। ତେବେ ସ୍ମୃତି ମନ୍ଧାନା(୩୮) ଓ ହରମନ୍‌ପ୍ରୀତ (୫୪*) ତୃତୀୟ ଉଇକେଟରେ ୭୦ ରନ୍‌ ଯୋଡ ଭାରତକୁ ବିଜୟ ପଥକୁ ଆଣିଥିଲେ। ହରମନ୍‌ପ୍ରୀତଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୨୦ ଓଭରରେ ୧୧୪/୫( ଶୋରନା ଅଖତର-୨୮*, ସାଥୀ ରାଣୀ-୨୨, ଶୋଭନା ମୋଷ୍ଟାରେ-୨୩, ପୂଜା ବସ୍ତ୍ରକାର-୧/୧୬, ଶେଫାଳି ବର୍ମା-୧/୧୮, ମିନ୍ନୁ ମଣି-୧/୨୧)। ଭାରତ ୧୬.୨ ଓଭରରେ ୧୧୮/୩ (ହରମନ୍‌ପ୍ରୀତ୍‌ କୌର-୫୪, ସ୍ମୃତି ମନ୍ଧାନା-୩୮, ସୁଲତାନା ଖାତୁନ-୨/୨୫, ମାରୁଫା ଅଖତର-୧/୧୮)।

 

 

Share