Categories: ଖେଳ

ସିରିଜ୍‌ କବ୍‌ଜା କଲା ଭାରତ

ଅହମ୍ମଦାବାଦ୍‌,୧।୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ। ଶେଷ ଟି-୨୦ ଭାରତ ୧୬୮ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୨୩୫ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଟିମ୍‌ ମାତ୍ର ୧୨.୧ ଓଭରରେ ୬୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଡାରେଲ୍‌ ମାଇକେଲ୍‌ ସର୍ବାଧିକ ୩୫ ରନ୍‌ ସ୍କୋର କରିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ଟି ଉଇକେଟ୍‌ ନେଇଥିବାବେଳେ ଅର୍ଶଦୀପ ସିଂ, ଶିଭମ ମାଭି ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଏହି ବିଜୟ ସହ ଭାରତ ସିରିଜ୍‌କୁ ୨-୧ରେ ଜିତିନେଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୨୦ ଓଭରରେ ଚାରି ଉଇକେଟ ହରାଇ ୨୩୪ ରନ ସଂଗ୍ରହ କରିଛି। ଟିମ ଇଣ୍ଡିଆ ପାଇଁ ଶୁଭମନ ସର୍ବାଧିକ ୬୩ ବଲ୍‌ରେ ଅପରାଜିତ ୧୨୬ ରନ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୧୨ ଚୌକା ଓ ୭ ଛକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ୍‌ ୨୦୦.୦୦ ଥିଲା। ଗିଲ ଟେଷ୍ଟ ଏବଂ ଦିନିକିଆ ପରେ, ଟି -୨୦ ଫର୍ମାଟରେ ମଧ୍ୟ ଶତକ ହାସଲ କରିଛନ୍ତି। ଗିଲଙ୍କ ବ୍ୟତୀତ ରାହୁଲ ତ୍ରିପାଠୀ ୪୪, ସୂର୍ଯ୍ୟକୁମାର ଯାଦବ ୨୪, ହାର୍ଦ୍ଦିକ ପାଣ୍ଡ୍ୟା ୩୦ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସଓ୍ବେଲ, ବ୍ଲେୟାର୍‌ ଟିକ୍‌ନର୍‌, ଇଶ୍‌ ସୋଧି, ଡ୍ୟାରେଲ୍‌ ମାଇକେଲ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share