Categories: ଖେଳ

ତୃତୀୟ ଟି୨୦ରେ ଭାରତ ବିଜୟୀ

ବାସେଟେରେ, ୩ା୮: ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିବାବେଳେ ଭାରତ ୧୯ ଓଭରରେ ୩ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରି ନେଇଥିଲା। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ୧୧ ରନ କରିଥିବାବେଳେ ରିଟାୟର୍ଡ ହର୍ଟ ହୋଇ ଯାଇଥିଲେ। ତାଙ୍କ ଅଣ୍ଟାର ମାଂଶପେଶୀ ଟାଣି ଧରିଥିଲା। ମାତ୍ର ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟାର ସହଜରେ ଘରୋଇ ବୋଲରଙ୍କୁ ମୁକାବିଲା କରି ଭାରତକୁ ବିଜୟ ପଥରେ ଅଗ୍ରସର କରାଇଥିଲେ। ଆୟାର ୨୭ ବଲ୍‌ରୁ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ ହେଁ ସୂର୍ଯ୍ୟକୁମାର ୪୪ ବଲ୍‌ରୁ ୮ ଚୌକା ଓ ୪ ଛକା ସହାୟତାରେ ଖେଳିଥିଲେ ୭୬ ରନର ମ୍ୟାଚ ବିଜୟୀ ଇନିଂସ। ରିଷଭ ପନ୍ତ ୩୩ (୨୬ ବଲ, ୩ ଚୌକା, ୧ ଛକା) ଓ ଦୀପକ ହୁଦା ୧୦ ରନକରି ଅପରାଜିତ ରହିଥିଲେ। ଏଠାରେ ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀଲାଭ କରିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା ଓପନିଂ ଯୋଡ଼ିରେ ବ୍ରେଣ୍ଡନ କିଙ୍ଗ୍‌ ଓ କାଏଲ ମେୟର୍ସ ୪୪ ବଲ୍‌ରୁ ୫୭ ରନ ଯୋଗ କରିଥିଲେ। ମେୟର୍ସ ୫୦ ବଲ୍‌ରୁ ୮ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୭୩ ରନ କରିଥିଲେ। ମଧ୍ୟଭାଗରେ ଟିମ୍‌ ଇଣ୍ଡିଆ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟାଇଟ୍‌ ବୋଲିଂ କରିବାରୁ ଓ୍ବେଷ୍ଟଇଣ୍ଡିଜ ରନହାର ଧିମେଇ ଯାଇଥିଲା। କିଙ୍ଗ୍‌ ୨୦ ବଲ୍‌ରୁ ୨୦ ଓ ଅତ୍ଧନାୟକ ନିକୋଲସ ପୁରନ ୨୩ ବଲ୍‌ରୁ ୨୨ ରନ କରିଥିଲେ। ଶେଷ ଭାଗରେ ରୋଭମାନ ପାଓ୍ବେଲ ୧୪ ବଲ୍‌ରୁ ୨୩ (୨ ଚୌକା, ୧ ଛକା) ଓ ଶିମରନ ହେଟମେର ୧୨ ବଲ୍‌ରୁ ୨୦ ରନ କରିବାରୁ ଓ୍ବେଷ୍ଟଇଣ୍ଡିଜ ସ୍କୋର ୧୬୪ରେ ପହଞ୍ଚତ୍ ପାରିଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share