Categories: ଖେଳ

ବାରବାଟୀରେ ଜିତିଲା ଭାରତ

ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ): କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦୃଷ୍ଟିବାଧିତ ଟି ୨୦ ବିଶ୍ୱକପର ତୃତୀୟ ମ୍ୟାଚକୁ ଜିତିନେଇଛି ଭାରତ। ବୁଧବାର ନକୁଳ ବଡନାୟକଙ୍କ ଅଲରାଉଣ୍ଡ ସଫଳତା ବଳରେ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରିଥିଲା ଭାରତ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪ ଉଇକେଟରେ ୧୬୬ ରନ୍‌ କରିଥିଲା। ଅଧିନାୟକ ଆଶିକୁର ରହମାନ ୭୫ ରନ୍‌ କରିଥିଲେ। ଭାରତ ପକ୍ଷରୁ ନକୁଳ ଗୋଟିଏ ଉଇକେଟ ନେବା ସହିତ ଦୁଇଟି ରନ୍‌ ଆଉଟ କରିଥିଲେ। ୧୬୭ ରନର ପିଛା କରୁଥିବା ଭାରତୀୟ ଦଳ ୧୩.୧ ଓଭରରେ୩ ଉଇକେଟ ହରାଇ ୧୬୭ ରନ୍‌ କରି ନେଇଥିଲେ। ଭାରତ ପକ୍ଷରୁ ଟି. ଦୁର୍ଗା ରାଓ ୭୩ ଓ ନକୁଳ ୩୬ ରନ୍‌ କରିଥିଲେ। ଭାରତର ଦୁଇ ଜଣ ବ୍ୟାଟର ରନଆଉଟ ହୋଇଥିବା ବେଳେ କୌଣସି ବାଂଲାଦେଶୀ ବୋଲର ଉଇକେଟ ପାଇନଥିଲେ। ଦୃଷ୍ଟିବାଧିତ କ୍ରିକେଟ ସଂଘ(କାଭି) ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ପକ୍ଷରୁ ଏହି ମ୍ୟାଚ ଆୟୋଜନ କରାଯାଇଥିଲା। କଟକ ମେୟର୍‌ ସୁବାଷ ସିଂ, ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଓସିଏ ସିଇଓ ସୁବ୍ରତ କୁମାର ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ମୁଖ୍ୟ ଡ. କଳ୍ପନା ଦାସ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ମଳୟ ମହାନ୍ତି, ଶୈଳବାଳା ମହିଳା କଲେଜର ଅଧ୍ୟକ୍ଷା ଜୟଶ୍ରୀ ବିଶ୍ୱାଳ, କାଭି ଓଡ଼ିଶା ସମ୍ପାଦକ ସନ୍ୟାସୀ କୁମାର ବେହେରା ଓ କାଭି ଓଡିଶା ସଭାପତି ଜାଫର ଇକବାଲ ପ୍ରମୁ୍‌ଖ ଅତିଥି ଭାବରେ ଉପସ୍ଥିତ ରହିଥିଲେ।

Share