Categories: ଖେଳ

ଚହଲଙ୍କୁ ନେଇ ଚିନ୍ତାରେ ଭାରତ

ପୁଣେ,୫ା୧(ପି.ଟି) : ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ ପୂର୍ବରୁ ଦଳର ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଫର୍ମକୁ ନେଇ ଚିନ୍ତାରେ ଭାରତ। ପ୍ରଥମ ଟି୨୦ରେ ପଦାର୍ପଣ କରିଥିବା ଶୁବମାନ ଗିଲ୍‌ଙ୍କ ପାଓ୍ବାର ପ୍ଲେରେ ଧିମା ବ୍ୟାଟିଂ ମଧ୍ୟ ଚିନ୍ତାର ଆଉ ଏକ କାରଣ। ପ୍ରାରମ୍ଭରୁ ସେଟ୍‌ ହେବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଗିଲ୍‌ଙ୍କ ଷ୍ଟାଇଲ ରହି ଆସିଛି। ସମାନ ଆଭିମୁଖ୍ୟ କାରଣରୁ ନିକଟରେ ଲୋକେଶ ରାହୁଲଙ୍କୁ ଟି୨୦ ଦଳରୁ ବାଦ୍‌ ଦିଆଯାଇଛି। ତେଣୁ ଗିଲ୍‌ଙ୍କୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। ଦଳରେ ରହିଥିବା ଋତୁରାଜ ଗାଏକ୍ୱାଡ ଏବଂ ରାହୁଲ ତ୍ରିପାଠୀ ଓପନ୍‌ କରିବାରେ ସମର୍ଥ ଥିବା ବେଳେ ଗିଲ୍‌ଙ୍କ ସ୍ଥାନରେ ଉଭୟ ଖେଳାଳିଙ୍କୁ ଏକ ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ଉଭୟ ଅକ୍ଷର ପଟେଲ ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଶ୍ରୀଲଙ୍କା ସ୍ପିନରମାନେ ରନ୍‌ ସ୍କୋରର ପର୍ଯ୍ୟାପ୍ତ ସୁଯୋଗ ଦେଇ ନ ଥିବା ବେଳେ ଦୁଇ ଭାରତୀୟ ସ୍ପିନର ମହଙ୍ଗା ରହିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୧୩ ରନ୍‌ ଡିଫେଣ୍ଡ କରିବାରେ ସଫଳ ହୋଇଥିବା ବେଳେ ଚହଲ ୨ ଓଭରରେ ଦେଇଥିଲେ ୨୬ ରନ୍‌। ଦ୍ୱିତୀୟ ମ୍ୟାଚରେ ଚହଲଙ୍କ ସ୍ଥାନରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ।

ସାମସନଙ୍କ ସ୍ଥାନରେ ଜିତେଶ

ଦ୍ୱିତୀୟ ଟି୨୦ ପୂର୍ବରୁ ଭାରତକୁ ଝଟକା। ଆହତ ହୋଇ ସଞ୍ଜୁ ସାମସନ ଦଳରୁ ବାଦ ପଡିଥିବା ବେଳେ ବଦଳ ଖେଳାଳି ଭାବରେ ବିଦର୍ଭ ଉଇକେଟ କିପର ଜିତେଶ ଶର୍ମାଙ୍କ ନାମ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଛି। ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରଦର୍ଶନ ଆଧାରରେ ଶର୍ମାଙ୍କୁ ଡାକରା ମିଳିଛି।

Share