Categories: ଖେଳ

୪ ପଦକ ପକ୍କା କଲେ ଭାରତୀୟ ତୀରନ୍ଦାଜ

ତାଶକେଣ୍ଟ, ୩ା୫ (ପି.ଟି.): ଭାରତୀୟ ତୀରନ୍ଦାଜମାନେ ଏସିଆ କପ୍‌ ଷ୍ଟେଜ୍‌-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଉତ୍ସାହଜନକ ଆରମ୍ଭ କରଛନ୍ତି। ମଙ୍ଗଳବାର ରିକର୍ଭ ଓ କମ୍ପାଉଣ୍ଡ ବିଭାଗର ୪ ଟିମ୍‌ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି। ମୃଣାଳ ଚୌହାନ, ତୁଷାର ଶେଲ୍‌କେ ଓ ଜୟନ୍ତ ତାଲୁକଦାରଙ୍କୁ ନେଇ ଟପ୍‌ ସିଡ୍‌ ଭାରତୀୟ ରିକର୍ଭ ଦଳ ସେମିଫାଇନାଲରେ ଆୟୋଜକ ଉଜ୍‌କିସ୍ତାନର ଚେନ୍‌ ୟାଓ ୟୁଇ, ମିର୍ଜାଲଲ କାରୋରେଭା ଓ ଅମିରଖାନ୍‌ ସାଦିକୋଭ୍‌ଙ୍କୁ ୬-୦ (୫୬-୫୪, ୫୭-୫୪, ୫୬-୫୩)ରେ ହରାଇ ଦେଇଛନ୍ତି। ଏହାପୂର୍ବରୁ ସେମାନେ କିରଗିଜସ୍ତାନ ବିପକ୍ଷରେ ୬-୦ (୫୪-୪୯, ୫୮-୪୮, ୫୩-୪୫)ରେ ବିଜୟ ହାସଲ କରିଥିଲେ। ପୁରୁଷ ରିକର୍ଭ ଦଳ ସ୍ବର୍ଣ୍ଣ ପଦକ ମୁକାବିଲାରେ ଏହାର ପ୍ରତିଦ୍ୱନ୍ଦ୍ୱୀ ଚାଇନାକୁ ଶୁକ୍ରବାର ଭେଟିବ। ସଙ୍ଗୀତା, ପ୍ରାଚୀ ସିଂ ଓ ତନିଶା ବର୍ମାଙ୍କୁ ନେଇ ମହିଳା ରିକର୍ଭ ଦଳ ଉଜ୍‌ବେକିସ୍ତାନ ଦଳକୁ ୫-୪ରେ ପରାଜିତ କରିଛନ୍ତି। ଦଳ ଫାଇନାଲରେ ଚାଇନା ସହ ମୁକାବିଲା କରିବ। ବାଏ ପାଇ ସେମିଫାଇନାଲରେ ପ୍ରବେଶ କରିଥିବା ଅଭିଷେକ ବର୍ମା, କୁଶାଲ ଦଳାଲ ଓ ଅମିତ୍‌ଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ କମ୍ପାଉଣ୍ଡ ଦଳ ସାଉଦି ଆରବକୁ ୨୩୬-୨୨୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ଦଳ ଶୁକ୍ରବାର ସ୍ବର୍ଣ୍ଣ ପଦକ ପାଇଁ ହଂକଂ ବିପକ୍ଷରେ ଖେଳିବ। ସେହିପରି ପରନୀତ କୌର, ପ୍ରଗତି ରାଗିନି ମାର୍କୁଙ୍କୁ ନେଇ ମହିଳା କମ୍ପାଉଣ୍ଡ ଦଳ କ୍ୱାଲିଫାଇଂ ରାଉଣ୍ଡ ଶୀର୍ଷରେ ରହି ପୂର୍ବରୁ ଫାଇନାଲକୁ ଉନ୍ନୀତ ହୋଇସାରିଛନ୍ତି। ଟାଇଟଲ ମୁକାବିଲାରେ ସେମାନେ ହଂକଂଙ୍କୁ ଭେଟିବେ।

Share