Categories: ଜାତୀୟ

ଭାରତୀୟ ସେନା ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ…

ଲଦାଖ,୨।୧୦: ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ଅବସରରେ ଭାରତୀୟ ସେବା ମୁଖ୍ୟ ଏମ୍‌.ଏମ୍‌. ନରାଓ୍ବଣେ କହିଛନ୍ତି ଯେ, ଚାଇନା ସୀମାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସୀମାରେ ଯେଭଳି ଅଧିକ ସୈନ୍ୟ ମୁତୟନ କରିହେବ ସେ ନେଇ ଚାଇନା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତୀୟ ସେନା ମଧ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛନ୍ତି। ଭାରତୀୟ ସେନା ସଶକ୍ତ ସ୍ଥିତିରେ ରହିବା ସହିତ ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ତେବେ ଏଲ୍‌ଏସିରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଇତିମଧ୍ୟରେ ୧୨ ଥର ଆଲୋଚନା ହୋଇସାରିଛି। ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଖୁବ୍‌ ଶୀଘ୍ର ୧୩ତମ ବୈଠକ ଅନୁଷ୍ଠିତ ହେବ। ଆଶା କରାଯାଉଛି ସମସ୍ତ ସମସ୍ୟାର ସଫଳ ସମାଧାନ ସମ୍ଭବ ହେବ।

ସେହିପରି ପାକିସ୍ତାନ ସମ୍ପର୍କରେ ସେନାମୁଖ୍ୟ କହିଛନ୍ତି ଯେ, ଦୁଇଦେଶ ମଧ୍ୟ ଅସ୍ତ୍ରବିରତି ଚୁକ୍ତି ବେଶ୍‌ ସଫଳ ରହିଛି। ତେବେ ଗତ ୨ ମାସ ଧରି ଏଲ୍‌ଓସିରେ ଅନୁପ୍ରବେଶ ଘଟଣାରେ ବୃଦ୍ଧି ଘଟିଛି। ପାକିସ୍ତାନ ସୈନ୍ୟଙ୍କ ଅଜାଣତରେ ଅନୁପ୍ରବେଶ ହେବା ସମ୍ଭବ ନୁହେଁ।

ଗତ ୧୦ ଦିନ ମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ୨ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏନେଇ ଦୁଇପକ୍ଷଙ୍କ ମଧ୍ୟରେ ଆଲୋଚନା ପାଇଁ ଉଦ୍ୟମ ଜାରି ରହିଥିବା ସେନାମୁଖ୍ୟ କହିଛନ୍ତି। ଏଲ୍‌ଏସି ଏବଂ ଏଲ୍‌ଓସି ସ୍ଥିତି ନିୟନ୍ତ୍ରଣରେ ଥିବା ସେ ସୂଚନା ଦେଇଛନ୍ତି।

Share