ନୂଆଦିଲ୍ଲୀ,୨୫ା୮: ପାକିସ୍ତାନ ଗୋଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଇଣ୍ଡିଆନ୍ ଆର୍ମି ପୋଷ୍ଟରେ ଆକ୍ରମଣ କରିବା ନିମନ୍ତେ ପଠାଇଥିବା ଆତଙ୍କବାଦୀଙ୍କୁ ରକ୍ତଦାନ କରିଛନ୍ତି ଭାରତୀୟ ସୈନିକ। ଗତ ୨୧ ତାରିଖରେ ପାକ୍ ଅଧିକୃତ କଶ୍ମୀର(ପିଓକେ) ବାସିନ୍ଦା ତବାରକ୍ ହୁସେନ୍(୩୨) ରଜୌରି ନିକଟ ନିୟନ୍ତ୍ରଣ ରେଖା (ଏଲ୍ଓସି) ଡେଇଁ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସୂଚନା ପାଇ ଭାରତୀୟ ଯବାନ ସେଠାରେ ଗୁଳିଚାଳନା କରିବା ସହ ଅନୁପ୍ରବେଶ ପଣ୍ଡ କରିଥିଲେ। ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ ହେଁ ତବାରକ୍ ଧରାପଡ଼ିଥିଲେ। ଗୁଳି ବାଜିଥିବା ଯୋଗୁ ତାଙ୍କ ଚିକିତ୍ସା ପାଇଁ ୩ ବୋତଲ ରକ୍ତ ଆବଶ୍ୟକ ପଡ଼ିଥିଲା। ଭାରତୀୟ ସେନାର ଯବାନମାନେ ତାଙ୍କୁ ରକ୍ତଦାନ କରିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ତବାରକ୍ଙ୍କ ଆଉ ୨ ସହଯୋଗୀ ଫେରାର ହୋଇଯାଇଛନ୍ତି। ତବାରକଙ୍କୁ ଜଣେ ପାକ୍ ଗୋଇନ୍ଦା ଅଧିକାରୀ ୩୦ ହଜାର ପାକିସ୍ତାନୀ ଟଙ୍କା ଦେଇ ଭାରତୀୟ ସେନା ପୋଷ୍ଟରେ ଆକ୍ରମଣ କରିବାକୁ କହିଥିଲେ ବୋଲି ଆର୍ମି ପକ୍ଷରୁ କୁହାଯାଇଛି।