ଶ୍ରୀନଗର,୨୪।୧୨ : ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଏଲଓସିରେ ସୀମା ପାର ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପାକିସ୍ତାନର ଏକ ବଡ଼ ପ୍ରୟାସକୁ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି। ପୋଲିସ କହିଛି ଯେ ଆଠଟି ଏକେ ରାଇଫଲ ଏବଂ ୧୨ ଟି ପିସ୍ତଲ ବ୍ୟତୀତ ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ କଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରର ଏହା ହେଉଛି ସବୁଠାରୁ ବଡ ପରିମାଣ।
ସେନା ଏବଂ ପୋଲିସ ମିଳିତ ଭାବେ ଏହି ଅପରେଶନ ଆରମ୍ଭ କରିଥିଲେ। ଶନିବାର ସକାଳେ ହାଥଲଙ୍ଗା ଗ୍ରାମରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ପୋଲିସ କହିଛି। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।
ସୂତ୍ରରୁ ପ୍ରକାଶ ଯେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସହିତ ଜଡିତ ବଡ଼ ଧରଣର ଏହି ଅସ୍ତ୍ରଶସ୍ତ୍ର କାରବାର ବିଷୟରେ ସୁରକ୍ଷା ବାହିନୀକୁ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା।