Categories: ଜାତୀୟ

‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଆରମ୍ଭ ହେବ ଘାଟିର ସକାଳ

ନୂଆଦିଲ୍ଲୀ,୧୦ ।୯: ଜମ୍ମୁ-କଶ୍ମୀରରେ ଯୁବବର୍ଗଙ୍କୁ ଏକାଠି କରିବା ଲାଗି ଭାରିତୀୟ ସେନା ପକ୍ଷରୁ ଏକ କମ୍ୟୁନିଟି ରେଡିଓ ଷ୍ଟେଶନ ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳେ ‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଏହା ଆରମ୍ଭ କରାଯିବ । ୯୦.୮ ଫ୍ରିକ୍ୱିଏନ୍ସିରେ ‘ଦିଲ ସେ ଦିଲ ତକ’ ସାଧାରଣ ନାଗରିକଙ୍କ ପାଇଁ କମ୍ୟୁନିଟି ରେଡିଓ ଷ୍ଟେଶନ ଆପଣଙ୍କୁ ସ୍ୱାଗତ କରୁଛି କହି ଆରମ୍ଭ କରାଯିବ । ସେନା ପକ୍ଷରୁ ଆତଙ୍କବାଦୀ ପ୍ରଭାବିତ ସୋପିଆନ ଜିଲାରେ ଏମିତି ଆଉ ଏକ ରେଡ଼ିଓ ଷ୍ଟେଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଦକ୍ଷିଣ କଶ୍ମୀର ସ୍ଥିତ ଭିକ୍ଟର ଫୋର୍ସର ମେଜର ଜେନରାଲ ଅଫିସର୍ସ କମାଣ୍ଡିଂ କହିଛନ୍ତି ଏହି ରେଡ଼ିଓ ଷ୍ଟେଶନର ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ନିକଟରେ ମନୋରଞ୍ଜନ ଓ ଶାନ୍ତିର ବାର୍ତ୍ତା ପହଞ୍ଚାଇବା । ବିଶେଷ ଭାବେ ଯୁବକଙ୍କୁ ଏହା ସହ ଯୋଡିବା । ସେନାର ସୂଚନା ମୁତାବକ ଏହାର ସମସ୍ତ କାର୍ଯ୍ୟକ୍ରମ ଉଦ୍ଦ୍ୱୁର୍ ଓ କଶ୍ମୀର ଭାଷାରେ ହେବ । ଏହା ଦିନରେ ଅଧିକାଂଶ ସମୟ ଅନ୍ ଏୟାର ରହିବ । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆତଙ୍କବାଦୀ କମାଣ୍ଡର ବୁରହାନ ୱାନିଙ୍କ ମୃତ୍ୟୁ ପରେ ଦକ୍ଷିଣ କଶ୍ମୀରର ୪ ଜିଲା କୁଲଗାମ, ଅନନ୍ତନାଗ, ଶୋପିଆନ ଓ ପୁଲୱାମାରେ ଆତଙ୍କବାଦୀ ନୂଆ ରୂପରେ ଉଭା ହୋଇଛନ୍ତି । ତେଣୁ ଏଠାକାର ଯୁବକଙ୍କୁ ଏକାଠି କରିବାକୁ ଏଭଳି ଏକ ପ୍ରୟାସ କରାଯାଇଛି । ତେବେ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ପସନ୍ଦ ଉପରେ କାର୍ଯ୍ୟକ୍ରମ ପ୍ରଚାର କରାଯିବାର ଯୋଜନା ମଧ୍ୟ କରାଯାଇଥିବା ସେନା କହିଛି ।

Share