Categories: ଜାତୀୟ

୨୦୧୯ରେ ସେନାରେ ଯୋଗ ଦେଇଥିଲେ, ଶହୀଦ ହୋଇଗଲେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୧୬।୦୭: ଜମ୍ମୁ-କଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ କ୍ୟାପ୍ଟେନ୍‌ଙ୍କ ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଜଙ୍ଗଲ ଭିତର ଦୁର୍ଗମ ଅଞ୍ଚଳରେ ଜାରି ରହିଥିବା ତଲାସି ଅଭିଯାନ ସମୟରେ ଆତଙ୍କବାଦୀମାନେ ଲୁଚିଛପି ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଏଥିରେ ସେନା ଯବାନ ଶହୀଦ ହୋଇଥିଲେ । ସେନା ଏହି ଯବାନଙ୍କ ନାମ ଜାରି କରିଛି ।

ଶହୀଦ ଯବାନଙ୍କ ମଧ୍ୟରେ କ୍ୟାପ୍ଟେନ୍‌ ବୃଜେଶ ଥାପା ରହିଛନ୍ତି । ବୃଜେଶ ଦ଼୍ବିତୀୟ ପିଢ଼ିର ଯବାନ । ଅର୍ଥାତ ତାଙ୍କ ବାପା କର୍ଣ୍ଣେଲ ଭୁବନେଶ ଥାପା ସେନାବାହିନୀରୁ ଅବସର ନେଇଛନ୍ତି । ତାଙ୍କ ଭଉଣୀ ଜଣେ ନେପାଳୀ ଗାୟିକା । ବୃଜେଶଙ୍କ ଘର ସିଲିଗୁଡ଼ି ବୋଲି ଜଣାପଡ଼ିଛି । ସେ ୨୦୧୯ ମସିହାରେ ସେନା ବାହିନୀରେ ଯୋଗ ଦେଇଥିଲେ । ତେବେ ବୃଜେଶ ସହ ନାୟକ ଡି ରାଜେଶ, ସିପାହୀ ବିଜେନ୍ଦ୍ର, ସିପାହୀ ଅଜୟ ଶହୀଦ ହୋଇଥିବା ସେନା ସୂଚନା ଦେଇଛି ।

Share