Categories: ଖେଳ

ନଜରରେ ଭାରତୀୟ ଆଥ୍‌ଲେଟ

ପ୍ରତି ବର୍ଷ ମେ’ ୭ ତାରିଖକୁ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ଭାବରେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହା ସହିତ ଶିଶୁ ଓ ଯୁବକମାନଙ୍କ ମଧ୍ୟରେ ଫିଟ୍‌ନେସ୍‌କୁ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ୧୯୯୬ ମସିହାରେ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ପ୍ରଥମ ଥର ପାଳନ କରାଯାଇଥିଲା। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦିବସର ପ୍ରଚଳନ କରାଯାଇଥିଲା। ୧୯୧୨ରେ ଆଇଏଏଏଫ୍‌ ସ୍ଥାପନ କରାଯାଇଥିଲା। ୨୦୧୯ରେ ଏହାର ନାମ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସକୁ ପରିବର୍ତ୍ତନ କରାଯାଇଥିଲା। ୧୭ଟି ଦେଶର ଫେଡେରେଶନକୁ ନେଇ ସମଗ୍ର ବିଶ୍ୱରେ ଶିଶୁ ଓ ଆଥ୍‌ଲେଟମାନଙ୍କୁ ସଚେତନ କରିବା ଦିଗରେ ଆରମ୍ଭ ହୋଇଥିବା ମିଶନରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ତେବେ ଯୁବ ସମାଜକୁ ଅଧିକରୁ ଅଧିକ ଆକୃଷ୍ଟ କରିବା ପାଇଁ ୧୯୯୬ରେ ପ୍ରଥମ ଥର ପାଇଁ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ପାଳନ କରାଯିବା ପାଇଁ ଯୋଜନା କରାଯାଇଥିଲା। ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ଓ ସେମିନାର ଦ୍ୱାରା ସଚେତନତା ପାଇଁ ପ୍ରୟାସ କରାଯାଏ। ସମଗ୍ର ବିଶ୍ୱର ସ୍କୁଲ ଓ କଲେଜଗୁଡ଼ିକରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଏ। ଆଥଲେଟ୍‌ମାନଙ୍କୁ ଡୋପିଂ ସମ୍ପର୍କରେ ସଚେତନ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ୨୦୧୩ରେ ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ସ୍ଥାପନ କରାଯାଇଥିଲା।

ବିଗତ ବର୍ଷରେ ଭାରତୀୟ ଆଥ୍‌ଲେଟଙ୍କ ପ୍ରଦର୍ଶନରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଛି। ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଏକମାତ୍ର ଭାରତୀୟ ଭାବେ ଦୁଇ ଦୁଇ ଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଆଥ୍‌ଲେଟ ଭାବରେ ନୀରଜ ଏକ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାସଲ କରିଥିଲେ। ମୁରଲୀ ଶ୍ରୀଶଙ୍କର, ଏଲଧୋଶ ପଲ ଓ ଅବଦୁଲ ଆବୁ ବକରଙ୍କ ପରି ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ମହିଳା ଆଥ୍‌ଲେଟଙ୍କ ମଧ୍ୟରେ ରେସ୍‌ ଓ୍ବାକର ପ୍ରିୟଙ୍କା ଗୋସ୍ବାମୀ ଏବଂ ଜାଭେଲିନ୍‌ ଥ୍ରୋୟର ଅନ୍ନୁ ରାଣୀଙ୍କ ପ୍ରଦର୍ଶନରେ ଆଖିଦୃଶିଆ ଉନ୍ନତି ଘଟିଛି। ପ୍ରିୟଙ୍କା ରେସ୍‌ ଓ୍ବାକିଂରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜୟୀ ହୋଇଥିବା ବେଳେ ଅନ୍ନୁ ରାଣୀ କ୍ରମାଗତ ୩ ବର୍ଷ ଧରି ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୫ରେ ସାମିଲ ଅଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ହାସଲ କରିଥିବା ଅନ୍ନୁ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚିତ ହୋଇଥିଲେ।

Share