ବିଦେଶରେ ଅବସାଦ, ଅନାହାରରେ ଛାତ୍ରୀ, ଭାରତ ଫେରାଇ ଆଣିବାକୁ ଗୁହାରି କଲେ ମାଆ

ନ୍ୟୁୟର୍କ/ହାଇଦ୍ରାବାଦ,୨୮।୭: ଜଣେ ଭାରତୀୟ ଛାତ୍ରୀ ସିକାଗୋ ସଡ଼କରେ ଅବସାଦ ଓ ଅନାହାରରେ ଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏହି ଛାତ୍ରୀ ଜଣଙ୍କର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ ମାଆ। ଏହା ଜାଣିବା ପରେ ସିକାଗୋରେ ଥିବା ଭାରତର ମହାବାଣିଜ୍ୟ ଦୂତାବାସ ଆଶ୍ୱାସନା ଦେଇଛି କି ଯଥା ସମ୍ଭବ ସାହାଯ୍ୟ କରାଯିବ।

ଉକ୍ତ ଛାତ୍ରୀଙ୍କ ମାଆ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପତ୍ର ଲେଖି ଝିଅକୁ ଭାରତ ଫେରାଇ ଆଣିବାକୁ ସାହାଯ୍ୟ ମାଗିଛନ୍ତି। ଏହି ଚିଠି ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା ଖାଲିକୁର ରହମାନଙ୍କ ଟୁଇଟର ପୃଷ୍ଠାରେ ପୋଷ୍ଟ କରାଯାଇଛି। ତେଲେଙ୍ଗାନାର ହାଇଦ୍ରାବାଦରେ ରହୁଥିବା ଜଣେ ମହିଳା କହିଛନ୍ତି ଯେ ତାଙ୍କ ଝିଅ ସଇଦା ଲୁଲୁ ମିନହାଜ ଜୈଦି ୨୦୨୧ରେ ଡେଟ୍ରାଇଟ ଟ୍ରାଇନ ୟୁନିଭରସିଟିରୁ ଏମଏସ କରିବା ପାଇଁ ଆମେରିକା ଯାଇଥିଲେ। ସେ କହିଛନ୍ତି ଯେ ଗତ ଦୁଇ ମାସ ହେବ ସେ ତାଙ୍କ ଝିଅ ସହିତ ସମ୍ପର୍କରେ ନ ଥିଲେ। ନିକଟରେ ସିକାଗୋରେ ରହୁଥିବା ଦୁଇଜଣ ହାଇଦ୍ରାବାଦ ଯୁବକ ଜାଣିବାକୁ ପାଇଲେ ଯେ ଜୈଦିି ଡିପ୍ରେସନ ଦେଇ ଗତି କରୁଛନ୍ତି। ତାଙ୍କର ସମସ୍ତ ଜିନିଷ ଚୋରି ହୋଇଯାଇଛି, ଯେଉଁଥିପାଇଁ ସେ ଅନାହାରରେ ଅଛନ୍ତି। ମାତା ତାଙ୍କ ଚିଠିରେ କହିଛନ୍ତି ଯେ ତାଙ୍କୁ ଆମେରିକାର ସିକାଗୋ ରାସ୍ତାରେ ଦେଖିବାକୁ ମିଳିଥିଲା। ଏହା ଜାଣିବା ପରେ ଭାରତୀୟ ବାଣିଜ୍ୟ ଦୂତାବାସ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ଆଶ୍ୱସନା ଦେଇଛି। ତେବେ ଚାକିରି ନ ମିଳିବାରୁ ଜୈଦିଙ୍କର ଏଭଳି ଅବସ୍ଥା ହୋଇଥିବା କୁହାଯାଉଛି।

Share