Categories: ଖେଳ

ଭାରତୀୟ ବୋଲର ପ୍ରଭାବୀ

ଡବଲିନ, ୧୯।୮: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଏଠାରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହୋଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ପ୍ରଭାବୀ ବୋଲିଂ କରି ଆୟର୍ଲାଣ୍ଡ ଇନିଂସକୁ ୧୩୯/୭ରେ ସୀମିତ ରଖିଛନ୍ତି। ଏହି ମ୍ୟାଚରେ ଭାରତର ରିଙ୍କୁ ସିଂ ଓ ପ୍ରସିଦ୍ଧ କ୍ରିଷ୍ଣା ଟି୨୦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ସିରିଜରେ ଭାରତ ପକ୍ଷରୁ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଯଶପ୍ରୀତ୍‌ ବୁମ୍‌ରା ଉଭୟ ଖେଳାଳିଙ୍କୁ ଟି୨୦ କ୍ୟାପ୍‌ ପ୍ରଦାନ କରିଛନ୍ତି। ରିପୋର୍ଟ ପ୍ରସ୍ତୁତ ବେଳକୁ ଭାରତ ୫ ଓଭରରେ କୌଣସି ଉଇକେଟ ନ ହରାଇ ୩୨ ରନ ସଂଗ୍ରହ କରିଛି।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ଏହା ଉଚିତ ମଧ୍ୟ ସାବ୍ୟସ୍ତ ହୋଇଥିଲା। ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ମାତ୍ର ୩୧ ରନ ମଧ୍ୟରେ ଆୟର୍ଲାଣ୍ଡର ୫ ଉଇକେଟ ପତନ ଘଟାଇଥିଲେ। ଆହତ ସମସ୍ୟାରୁ ମୁକୁଳିଥିବା ଯଶପ୍ରୀତ୍‌ ବୁମ୍‌ରାଙ୍କ ସ୍ପେଲ୍‌ ମଧ୍ୟ ବହୁତ ଭଲ ରହିଥିଲା। ମଧ୍ୟଭାଗରେ କୁର୍ଟିସ କାମ୍ଫର ୩୯ ରନ କରିବା ସହ ୮ ନମ୍ବର ବ୍ୟାଟର ବାରି ମ୍ୟାକକାର୍ଥୀ ୫୧ ରନରେ ଅପରାଜିତ ରହିବାରୁ ଆୟର୍ଲାଣ୍ଡ ସମ୍ମାନଜନକ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା। ଉଭୟ ୭ମ ଉଇକେଟରେ ମୂଲ୍ୟବାନ ୫୭ ରନର ଭାଗୀଦାରି ଗଢ଼ିଥିଲେ। ମାତ୍ର ୩୩ଟି ବଲ୍‌ ଖେଳିଥିବା ମ୍ୟାକକାର୍ଥୀ ନିଜ ଇନିଂସ ମଧ୍ୟରେ ୪ଟି ଲେଖାଏ ଚୌକା ଓ ଛକା ମାରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଅଧିନାୟକ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ୨୦ ଓଭରରେ ୧୩୯/୭ (ବାରି ମ୍ୟାକକାର୍ଥୀ-୫୧*, କୁର୍ଟିସ କାମ୍ଫର-୩୯, ଯଶପ୍ରୀତ୍‌ ବୁମ୍‌ରା-୨/୨୪, ପ୍ରସିଦ୍ଧ କ୍ରିଷ୍ଣା-୨/୩୨, ରବି ବିଷ୍ଣୋଇ-୨/୨୩, ଅର୍ଶଦୀପ ସିଂ-୧/୩୫)।

Share