ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସେମାନେ (ତାଲିବାନ) ମୋ ଘର ଜାଳି ଦେଲେ। ବାଟ ନ ପାଇ ମୁଁ ମୋ ଝିଅ ଓ ଦୁଇ ନାତିଙ୍କ ସହ ପଳେଇ ଆସିଛି। ଭାରତୀୟ ଭାଇ ଓ ଭଉଣୀମାନଙ୍କ ପାଇଁ ଆମେ ବଞ୍ଚିଗଲୁ। ସାହାଯ୍ୟ ପାଇଁ ଭାରତକୁ ଧନ୍ୟବାଦ। ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଥିବା ୧୬୮ ଜଣଙ୍କ ସହ ଆସିଥିବା ଜଣେ ଆଫଗାନ ମହିଳା ଏଭଳି କହିଛନ୍ତି।
ଆଫଗାନିସ୍ତାନରୁ ରବିବାର ଉଦ୍ଧାର ହୋଇଥିବା ୧୬୮ ଜଣଙ୍କ ମଧ୍ୟରେ ୧୦୭ ଭାରତୀୟ ଅଛନ୍ତି। ସେମାନଙ୍କ ସହିତ ଆସିଛନ୍ତି ୨୪ ଆଫଗାନ ଶିଖ୍ ଓ ଦୁଇ ଆଫଗାନ ସିନେଟର। ଏମାନେ ଆଇଏଏଫ୍ର ପରିବହନ ବିମାନ ଯୋଗେ ନୂଆଦିଲ୍ଲୀ ନିକଟସ୍ଥ ଗାଜିଆବାଦ୍ ଏୟାର ବେସରେ ପହଞ୍ଚିଛନ୍ତି।