Categories: ବାଣିଜ୍ୟ

ରୁଷିଆରୁ ତେଲ କିଣି ଭାରତୀୟ କମ୍ପାନୀ ଲାଭବାନ

ନୂଆଦିଲ୍ଲୀ୮।୮ : ଗତ କିଛି ବର୍ଷ ହେବ ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ଉଭୟ ତୈଳ ଉତ୍ପାଦନ ଓ ଦର ମଧ୍ୟରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଦର ବୃଦ୍ଧି ଓ ଉତ୍ପାଦନ ହ୍ରାସ କାରଣରୁ ଭାରତୀୟ ତୈଳ ବଜାରରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ହୋଇଥିଲା। ଅପରପକ୍ଷରେ ବର୍ଷକରୁ ଅଧିକ ସମୟ ହେବ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଉଭୟ ରୁଷିଆ ଓ ୟୁକ୍ରେନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭାରତୀୟ ତୈଳ କମ୍ପାନୀଗୁଡିକ ସର୍ବାଧକ ଲାଭ ହାସଲ କରିଛନ୍ତି। ବିଶେଷକରି ଭାରତ ରୁଷିଆଠାରୁ ସୁଲଭ (ଶସ୍ତା) ମୂଲ୍ୟରେ ତୈଳ କ୍ରୟ କରି ଚାଲିଛି। ଏପରିକି ଆମେରିକା ଏବଂ ୟୁରୋପୀୟ ଭଳି ଦେଶ ରୁଷିଆ ଉପରେ ବ୍ୟବସାୟିକ କଟକଣା ଲଗାଇବା ପରେ ଭାରତ ଓ ଅନ୍ୟ ଦେଶଗୁଡ଼ିକୁୁ ରୁଷିଆ ଶସ୍ତାରେ ତେଲ ଯୋଗାଇ ଆସୁଛି। ଫଳରେ ତୈଳ କମ୍ପାନୀଗୁଡିକ ବ୍ୟାପକ ପରିମାଣରେ ଲାଭ କରୁଛନ୍ତି। ଅପରପକ୍ଷରେ ଭାରତୀୟ ତୈଳ କମ୍ପାନୀଗୁଡିକ ଦୀର୍ଘ ୨ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ଲାଭ ହାସଲ କରିଥିବା କମ୍ପାନୀଗୁଡିକର ତ୍ରୈମାସିକ ଫଳାଫଳାରୁ ସ୍ପଷ୍ଟ ବାରିହୋଇ ପଡୁଛି। ତେବେ ଗତ ଜୁନ୍‌ ମାସରେ ଭାରତ ସବୁଠାରୁ ଶସ୍ତାରେ ତେଲ ପାଇଥିଲା ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରୁଷିଆରୁ ଭାରତକୁ ଆସୁଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ୨୦୨୩ ଜୁନ୍‌ରେ ବ୍ୟାରେଲ ପିଛା ମାତ୍ର ୬୮.୧୭ ଡଲାର ଥିଲା, ଯେଉଁଥିରେ ପରିବହନ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି। ଏପରିକି ଗତ ମେ ମାସରେ ରୁଷିଆରୁ ଆସୁଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୭୦.୧୭ ଡଲାର ଥିଲା। ସେହିଭଳି ଗତ ଜୁନରେ ରୁଷିଆରୁ ଆମଦାନୀ କରାଯାଇଥିବା ଅଶୋଧିତ ତେଲର ବଜାର ମୂଲ୍ୟ ତୁଳନାରେ ବ୍ୟାରେଲ ପିଛା ୧୫ରୁ ୨୦ ଡଲାର ହୋଇଥିବା ବିଶେଷଜ୍ଞଙ୍କ ପକ୍ଷରୁ ଆକଳନ କରାଯାଇଛି। ସେହିପରି ବର୍ଷକ ତଳେ ଭାରତ ରୁଷିଆଠାରୁ ବ୍ୟାରେଲ ପିଛା ୧୦୦.୪୮ ଡଲାର ମୂଲ୍ୟରେ ଅଶୋଧିତ ତୈଳ ପାଉଥିଲା। ଫଳରେ ଭାରତକୁ ମିଳିଥିବା ଅଶୋଧିତ ତୈଳ ଦର ବର୍ଷକ ମଧ୍ୟରେ ଦେଢ଼ ଗୁଣ ହ୍ରାସ ପାଇଛି। ତେବେ ଶସ୍ତା ତେଲର ଲାଭ ତୈଳ କମ୍ପାନୀଗୁଡିକ ହାସଲ କରିଛନ୍ତି। ଅପରପକ୍ଷରେ ଭାରତୀୟ ଗ୍ରାହକ ଦୀର୍ଘ ୨ବର୍ଷ ହେବ ଉଚ୍ଚ ଦରରେ ତେଲ କିଣୁଛନ୍ତି। ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ପ୍ରାୟ ୧୦୪ ଟଙ୍କା ଥିଲାବେଳେ ଡିଜେଲ ମୂଲ୍ୟ ପ୍ରାୟ ୯୨ ଟଙ୍କା ରହିଛି।

Share