ଆମେରିକାରେ ୪୦ ବିଲିୟନ ଡଲାର ନିବେଶ କରିଛନ୍ତି ଭାରତୀୟ କମ୍ପାନୀ

ଓ୍ବାଶିଂଟନ, ୬ା୫: ଆମେରିକାରେ ୧୬୩ ଭାରତୀୟ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୪୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ କରିଛନ୍ତି। ଏହାଦ୍ୱାରା ସେଠାରେ ୪,୨୫,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ଏକ ସର୍ଭେରେ କୁହାଯାଇଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ‘ଇଣ୍ଡିଆନ ରୁଟ୍ସ, ଆମେରିକାନ୍‌ ସଏଲ’ ନାମରେ ସର୍ଭେ କରାଯାଇଥିଲା, ଯାହାକୁ ବୁଧବାର ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ଲଞ୍ଚ୍‌ କରିଛନ୍ତି। ଆମେରିକାରେ ଭାରତୀୟ କମ୍ପାନୀଗୁନିକ କର୍ପୋରେଟ ସାମାଜିକ ଦାୟିତ୍ୱ ବାବଦରେ ୧୮୫ ନିୟୁତ ଡଲାର ଖର୍ଚ୍ଚ କରିଛନ୍ତି। ସେହିପରି ଆମେରିକାର ଗବେଷଣା ଓ ବିକାଶ ପ୍ରକଳ୍ପରେ ସେମାନେ ୧ ବିଲିୟନ ଡଲାର ବିନିଯୋଗ କରିଛନ୍ତି। ଭାରତୀୟ କମ୍ପାନୀ ନିବେଶ ଯୋଗୁ ଟେକ୍ସାସରେ ସର୍ବାଧିକ ୨୦,୯୦୬ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ ନ୍ୟୁୟର୍କରେ ୧୯,୯୦୬, ନ୍ୟୁଜର୍ସିରେ ୧୭,୭୧୩, ଓ୍ବାଶିଂଟନରେ ୧୪,୫୨୫, ଜର୍ଜିଆରେ ୧୩,୯୪୫, ଓହିଓରେ ୧୨,୧୮୮, ମୋଣ୍ଟାନାରେ ୯,୬୦୩ ଏବଂ ଇଲିନୋଇସ୍‌ରେ ୮,୪୫୪ ନିଯୁକ୍ତି ସୃଷ୍ଟି ହୋଇଛି।

Share