ଚାଇନା ମୋବାଇଲ ବ୍ରାଣ୍ଡଠାରୁ ଦୂରେଇ ଯାଉଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ…

ନୂଆଦିଲ୍ଲୀ,୩୦।୧୦ : ଭାରତୀୟମାନେ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ଦୂରେଇବାରେ ଲାଗିଛନ୍ତି। ଇଣ୍ଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ, ୨୦୨୩ ବର୍ଷର ତୃତୀୟ ତ୍ରୟମାସିକରେ ସାମସଙ୍ଗ ଏବଂ ଆପଲ ବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକ ହୋଇଛି। ବଜାର ଅଂଶଧନ ଦୃଷ୍ଟିରୁ ଏହି ଉଭୟ ସ୍ମାର୍ଟଫୋନ ବଜାରରେ ଆଧିପତ୍ୟ ବିସ୍ତାର କରିଛନ୍ତି। ଏହା ପରେ ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡର ସଂଖ୍ୟା ରହିଛି। ସାଧାରଣତଃ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡ ଭାରତରେ ପ୍ରାଧାନ୍ୟ ବିସ୍ତାର କରିଥାଏ, କିନ୍ତୁ ଚଳିତ ବର୍ଷର ଶେଷ କିଛି ତ୍ରୟମାସରେ ଚାଇନାର ବ୍ରାଣ୍ଡର ବଜାର ଅଂଶଧନ ହ୍ରାସ ପାଇଛି।

ବାସ୍ତବରେ, ବଜାର ଅଂଶଧନ ଦୃଷ୍ଟିରୁ ସାମସଙ୍ଗ ବ୍ରାଣ୍ଡ ଶୀର୍ଷରେ ଅଛି। ଚଳିତ ବର୍ଷ ତୃତୀୟ ତ୍ରୟମାସରେ ସାମସଙ୍ଗର ବଜାର ଅଂଶଧନ ୧୯.୭ ପ୍ରତିଶତ ଥିଲା, ଯାହା ସର୍ବାଧିକ ଅଟେ। କିନ୍ତୁ ଗତ ବର୍ଷ ତୁଳନାରେ ଏହା ୮.୪ ପ୍ରତିଶତ ହ୍ରାସ ହୋଇଛି। ଏହି ତାଲିକାରେ ଆପଲ ଦ୍ୱିତୀୟ ସ୍ଥାନରେ ଅଛି। ତୃତୀୟ ତ୍ରୟମାସରେ ଆପଲର ବଜାର ଅଂଶଧନ ୧୭.୭ ପ୍ରତିଶତ ଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ। ଗତ ବର୍ଷ ତୁଳନାରେ ଏଥିରେ ୨.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି।

ସାମସଙ୍ଗ ଏବଂ ଆପଲ ପରେ ଜିଓମି ତୃତୀୟ ସ୍ଥାନ ଅଧିକାର କରିଛି । ଜିଓମିର ବଜାର ଅଂଶଧନ ୧୩.୭ ପ୍ରତିଶତ ହୋଇଛି, ଯେଉଁଥିରେ ଗତ ଏକ ବର୍ଷରେ ପ୍ରାୟ ୨.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। ଓପୋ ଚତୁର୍ଥ ସ୍ଥାନରେ ଅଛି। ଓପୋର ବଜାର ଅଂଶଧନ ୮.୯ ପ୍ରତିଶତ ହୋଇଛି। କିନ୍ତୁ ଗତ ବର୍ଷ ତୁଳନାରେ ଏଥିରେ ୬.୫ ପ୍ରତିଶତ ହ୍ରାସ ଘଟିଛି। ଏହି ତାଲିକାରେ ପଞ୍ଚମ ସ୍ଥାନରେ ଟ୍ରାନ୍ସସିଅନ କମ୍ପାନୀ ରହିଛି। ତିନୋଟି ସ୍ମାର୍ଟଫୋନ ବ୍ରାଣ୍ଡ ଟେକ୍ନୋ, ଇନଫିନିକ୍ସ ଏବଂ ଆଇଟେଲ ଏହି କମ୍ପାନୀର। ଏହି ତିନୋଟିର ମିଳିତ କମ୍ପାନୀ ଟ୍ରାନ୍ସସିଅନର ବଜାର ଅଂଶଧନ ୮.୬ ପ୍ରତିଶତ ହୋଇଛି । ଗତ ବର୍ଷ ତୁଳନାରେ ଏଥିରେ ୩୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି।

Share