Categories: ଖେଳ

ରୋହିତ-କୋହଲି ଏକାଠି ଗାଇଲେ ‘ମା ତୁଝେ ସଲାମ …’, ଶୁଣି ଲୋମ ଟାଙ୍କୁରି ଉଠିବ

ମୁମ୍ବାଇ,୫।୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ଭାରତୀୟ ଦଳର ବିଜୟ ପରେଡ୍‌ ହୋଇଥିଲା। ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଳିମାନେ ଡିଜେ ତାଳରେ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏହି ସମସ୍ତ ମୁହୂର୍ତ୍ତଗୁଡିକ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ମୁହୂର୍ତ୍ତର ଏକ ଭିଡିଓ ବିସିସିଆଇ ଶେୟାର କରିଛି ଯେଉଁଥିରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ‘ମା ତୁଝେ ସଲାମ’ ଗାଉଥିବାର ନଜର ଆସିଛନ୍ତି।

ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଭିଡିଓରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ନଜର ଆସିଛନ୍ତି ଯେଉଁଥିରେ ବିରାଟ କୋହଲି ବହୁତ ଆଗରେ ଅଛନ୍ତି। ଏହି ସମୟ ମଧ୍ୟରେ ବିରାଟ ତ୍ରିରଙ୍ଗା ପତାକା ଧରି ନାଚୁଛନ୍ତି। ବିରାଟଙ୍କ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳୁଛି। ପୁରା ଟିମ୍ ଷ୍ଟାଡିୟମ୍ ବୁଲୁଥିଲେ। ଏହି ସମୟରେ ବନ୍ଦେ ମାତରମ ସଂଗୀତରେ ପୁରା ଷ୍ଟାଡିୟମ ଗୁଞ୍ଜରି ଉଠିଥିଲା।

ଓ୍ବାଙ୍ଖେଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ ଭାରତୀୟ ଖେଳାଳି ମାନେ ଏକ ଖୋଲା ଛାତ ବସ୍‌ରେ ନରିମାନ ପଏଣ୍ଟରୁ ଷ୍ଟାଡିୟମ ଯାଏ ଯାତ୍ରା କରିଥିଲେ। ଆରମ୍ଭରୁ ସନ୍ଧ୍ୟା ୫ଟାରେ ଏହି ବିଜୟ ପରେଡ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଖେଳାଳି ମାନେ ବିଳମ୍ବରେ ପହଞ୍ଚିବା କାରଣରୁ ୭.୩୦ ପରେ ଏହା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଭାରତୀୟ ଦଳ ୩.୪୨ ମିନିଟରେ ଦିଲ୍ଲୀ ଛାଡିଥିଲା। ଭାରତୀୟ ଖେଳାଳିଙ୍କ ଝଲକ ପାଇବା ପାଇଁ ମେରାଇନ୍‌ ଡ୍ରାଇଭ୍‌ର ସଡକ ଜନସମୁଦ୍ର ପାଲଟିଥିଲା। ଓ୍ବାଙ୍ଖେଡେ ଷ୍ଟାଡିୟମ ସାଧାରଣ ଜନତାଙ୍କ ପାଇଁ ମୁକ୍ତ ବୋଲି ଘୋଷଣା କରାଯିବାର କିଛି ମିନିଟ ମଧ୍ୟରେ ଏହା ଭରି ଯାଇଥିଲା।

ଭାରତୀୟ ଖେଳାଳି ଭିସ୍ତାରା ବିମାନରେ ଛତ୍ରପତି ଶିବାଜୀ ମହାରାଜ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ଓ୍ବାଟର ସାଲ୍ୟୁଟ ମିଳିଥିଲା। ଟର୍ମିନାଲ-୨ ଦେଇ ଭାରତୀୟ ଖେଳାଳି ବାହାରକୁ ଆସିବା ସହ ନରିମାନ ପଏଣ୍ଟରୁ ଖୋଲା ବସ୍‌ରେ ଚଢିଥିଲେ। ତୁହାକୁ ତୁହା ବର୍ଷା ଓ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ କ୍ରିକେଟ ଫ୍ୟାନଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଷ୍ଟାଡିୟମରେ ମଧ୍ୟ ଜଣେ ବି ଦର୍ଶକ ନିଜ ସ୍ଥାନ ଛାଡି ନ ଥିବା ଦେଖିବାକୁ ମିଳିଥିଲା। ଘଣ୍ଟା ଘଣ୍ଟା ଧରି ବିନା ଖାଦ୍ୟ ଓ ପାଣିରେ ବସିବାକୁ ପଡିଥିଲେ ମଧ୍ୟ କେହି ବି ନିଜ ସ୍ଥାନ ଛାଡି ନ ଥିଲେ। ଷ୍ଟାଡିୟମରେ ଡିଜେ ତାଳରେ ରେନ୍‌ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଇଣ୍ଡିଆ ଇଣ୍ଡିଆ, ସଚିନ୍‌.. ସଚିନ୍‌.. ଓ ମୁମ୍ବାଇ ଚା ରାଜା, ରୋହିତ ଶର୍ମା ଭଳି ଧ୍ୱନିରେ ଷ୍ଟାଡିୟମ ପ୍ରକମ୍ପିତ ହୋଇଥିଲା।

Share