Categories: ଖେଳ

ଖେଳ ପାଇଁ ନୁହେଁ, କେବଳ ଟଙ୍କା ରୋଜଗାର ପାଇଁ ଭାରତୀୟ କ୍ରିକେଟର ‘ଗେହ୍ଲାପୁଅ’

ଲାହୋର,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତୀୟ ଟିମ୍‌ ଯେଉଁ ବି ଦେଶ ଗସ୍ତ କରନ୍ତି, ସେଠାରେ ଅଧିକ ରୋଜଗାର ହୋଇଥାଏ। ଏହାସତ୍ତ୍ୱେ ଭାରତୀୟ ଦଳ ନିଜର ପ୍ରଦର୍ଶନ କାରଣରୁ ବିଶ୍ୱବ୍ୟାପି ସମ୍ମାନ ପାଇଥାଏ ବୋଲି କୁହାଯାଏ। କାରଣ ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ହେଲେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ମହମ୍ମଦ ହାଫିଜ୍‌ ଠିକ ଓଲଟା ଭାବନ୍ତି। ବିଶ୍ୱ କ୍ରିକେଟରେ ଭାରତ ଗେହ୍ଲାପୁଅ କାରଣ ସେ ଅଧିକ ଟଙ୍କା ରୋଜଗାର କରିଥାଏ ବୋଲି ସେ କହିଛନ୍ତି।

ହାଫିଜ ପିଟିଭି ସ୍ପୋଟ୍ସ ସହ ଏକ ସାକ୍ଷାତକାରରେ କହିଛନ୍ତି, ମୋତେ ବିଶେଷ ଜଣାନାହିଁ। ହେଲେ ଏତିକି ଜାଣେ ଯେ ଆମ ସମାଜରେ ଯିଏ ଅଧିକ ରୋଜଗାର କରେ, ସମସ୍ତେ ତାଙ୍କୁ ଭଲ ପାଆନ୍ତି। ସେ ସମସ୍ତଙ୍କର ଗେହ୍ଲାପୁଅ ହୋଇଥାନ୍ତି। ଭାରତ ଏକ ରାଜସ୍ବ ଉତ୍ପାଦନକାରୀ ଦେଶ। ତେଣୁ ସମଗ୍ର ବିଶ୍ୱରେ ଦ୍ୱିପାକ୍ଷିକ ସିରିଜ ଥିଲେ ମଧ୍ୟ ବିସିସିଆଇକୁ ପ୍ରାୟୋଜକ ମିଳିଯାଇଥାଏ। ସେମାନେ ଜ୍ୟାକ୍‌ପଟ୍‌ ପାଆନ୍ତି। ଏପରି ଜିନିଷକୁ ଅଣଦେଖା କରିବା କଷ୍ଟକର ବୋଲି କହିଛନ୍ତି।

ଏହାଛଡ଼ା ଉଦ୍‌ଘୋଷକ ହାଫିଜଙ୍କୁ ଭାରତ ଗେହ୍ଲାପୁଅ ଭଲ ଖେଳ ନା ଟଙ୍କା ଯୋଗୁ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ ଟଙ୍କା ବିକଳ୍ପକୁ ବାଛିଥିଲେ।

Share