Categories: ଜାତୀୟ

ଏଣିକି ଭାରତୀୟ ଡିଗ୍ରୀକୁ ମିଳିବ ଅଷ୍ଟ୍ରେଲିଆର ମାନ୍ୟତା

ଅହମ୍ମଦାବାଦ,୯।୩: ବର୍ତ୍ତମାନ ଅଷ୍ଟ୍ରେଲିଆରେ ଭାରତୀୟ ଡିଗ୍ରୀକୁ ମାନ୍ୟତା ଦିଆଯିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ ଏବଂ ଭାରତ ସରକାର ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଯୋଗ୍ୟତା ମାନ୍ୟତା ମେକାନିଜିମ୍‌କୁ ଚୂଡାନ୍ତ କରିଛନ୍ତି। ଯାହା ମାଧ୍ୟମରେ ଭାରତୀୟ ଡିଗ୍ରୀ ସେମାନଙ୍କ ଦେଶରେ ବୈଧର ମାନ୍ୟତା ପାଇବ। ନୂତନ ମେକାନିଜିମ୍‌ର ଅର୍ଥ ହେଉଛି, ଯଦି ଆପଣ ଜଣେ ଭାରତୀୟ ଛାତ୍ର ଏବଂ ଅଷ୍ଟ୍ରେଲିଆରେ ପଢ଼ୁଛନ୍ତି କିମ୍ବା ପଢ଼ିସାରିଛନ୍ତି, ତେବେ ଆପଣଙ୍କର କଷ୍ଟ ଉପାର୍ଜିତ ଡିଗ୍ରୀକୁ ଘରକୁ ଫେରିବା ପରେ ସ୍ବୀକୃତି ପ୍ରାପ୍ତ ହେବ। ଆପଣଙ୍କର ଭାରତୀୟ ଯୋଗ୍ୟତାକୁ ଅଷ୍ଟ୍ରେଲିଆରେ ମାନ୍ୟତା ଦିଆଯିବ। ଗୁରୁବାର ଏକ ଆୟୋଜିତ କାର୍ଯ୍ୟକ୍ରମରେ ଆଲବାନି ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିଛନ୍ତି। ଡେକିନ ବିଶ୍ୱବିଦ୍ୟାଳୟ ଗୁଜୁରାଟର ଗାନ୍ଧିନଗର ଗିଫ୍ଟ ସିଟିରେ ଅଷ୍ଟ୍ରେଲିଆ ଏହାର ଅନ୍ତର୍ଜାତୀୟ ଶାଖା ଖୋଲିବ। ଆମର ଦ୍ୱିପାକ୍ଷିକ ଶିକ୍ଷା ସଂପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ଆଲବାନି କହିଛନ୍ତି। ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଗୁଜୁରାଟରେ କହିଛନ୍ତି, ଭାରତୀୟ ଯୋଗ୍ୟତା ଥିବା ଛାତ୍ରମାନେ ଅଷ୍ଟ୍ରେଲିଆରେ ମାନ୍ୟତା ପାଇବେ। ଏତଦ୍‌ ବ୍ୟତୀତ ଅଷ୍ଟ୍ରେଲିଆରେ ପଢ଼ିସାରିଥିବା ଭାରତୀୟ ଛାତ୍ରମାନଙ୍କର ଅଷ୍ଟ୍ରେଲିଆ ଡିଗ୍ରୀ ମଧ୍ୟ ଭାରତରେ ମାନ୍ୟତା ପାଇବ। ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। ଏଥିସହ ଅଷ୍ଟ୍ରେଲିଆରେ ପଢ଼ିିବାକୁ ଚାହୁଁଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆଲବାନି ଏକ ନୂତନ ଫ୍ରେଣ୍ଡସିପ୍‌ ସ୍କଲାରସିପ୍‌ ମଧ୍ୟ ଘୋଷଣା କରିଛନ୍ତି। ଚାରି ବର୍ଷ ପାଇଁ ଅଷ୍ଟ୍ରେଲିଆରେ ପଢ଼ିବାକୁ ଚାହୁଁଥିବା ଭାରତୀୟ ଛାତ୍ରମାନଙ୍କୁ ଫ୍ରେଣ୍ଡସିପ୍‌ ସ୍କଲାରସିପ ଦିଆଯିବ ବୋଲି ସେ କହିିଛନ୍ତି।

Share