Categories: ଜାତୀୟ

ଅଲିମ୍ପିକ୍ସ ଟର୍ଚ୍ଚ ରାଲିରେ ଗଲଓ୍ବାନ ସୈନ୍ୟ ସାମିଲ ହେବାରୁ ବଡ଼ ନିଷ୍ପତ୍ତି ନେଲା ଭାରତ

ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ସହ ଲଢ଼େଇ କରିଥିବା ଜଣେ ଚାଇନିଜ ସୈନିକଙ୍କୁ ଓ୍ବିଣ୍ଟର ଅଲିମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ବର ଟର୍ଚ୍ଚ ଧରିବା ଭଳି ଗୁରୁଦାୟିତ୍ୱ ଦିଆଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଆୟୋଜକ ବେଜିଂକୁ ବିଭିନ୍ନ ଦେଶ ସମାଲୋଚନା କରିଛନ୍ତି। ଚାଇନାର ଏହି କାର୍ଯ୍ୟକୁ ପଶ୍ଚାତାପ କରିବା ଯୋଗ୍ୟ ବୋଲି କହିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। ଏଥି ସହ ଓ୍ବିଣ୍ଟର ଅଲିମ୍ପିକ୍ସର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ଭାରତୀୟ କୁଟନୀତିଜ୍ଞ ଯୋଗ ଦେବେ ନାହିଁ ଘୋଷଣା କରାଯାଇଛି।

“ଏ ସମ୍ପର୍କୀତ ରିପୋର୍ଟ ଆମେ ଦେଖିଛୁ। ଅଲିମ୍ପିକ୍ସ ଭଳି ଇଭେଣ୍ଟରେ ରାଜନୀତି କରିବାକୁ ଚାଇନା ନିଷ୍ପତ୍ତି ନେଇଛି। ଏହା ପଶ୍ଚାତାପ ଯୋଗ୍ୟ। ଭାରତୀୟ ଦ୍ୱତବାସ ଦାୟିତ୍ୱରେ ଥିବା ଅଧିକାରୀ ବେଜିଂ ୨୨ ଓ୍ବିଣ୍ଟର ଅଲିମ୍ପିକ୍ସର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବେ ନାହିଁ” ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପିପୁଲ୍ସ ଲିବରେଶନ ଆର୍ମୀରେ ରେଜିମେଣ୍ଟ କମାଣ୍ଡର ଥିବା କ୍ୱି ଫାବାଓ ୨୦୨୦ରେ ଗଲଓ୍ବାନ ଘାଟିରେ ଘଟିଥିବା ରକ୍ତାକ୍ତ ଯୁଦ୍ଧର ଅଂଶ ଥିଲେ। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ଅଲିମ୍ପିକ୍ସ ଲାଗି ୧,୨୦୦ ଟର୍ଚ୍ଚଧାରୀଙ୍କ ମଧ୍ୟରେ ସାମିଲ କରିଛି ଚାଇନା। ଉଲ୍ଲେଖଯୋଗ୍ୟ, ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଇଭେଣ୍ଟରେ ଭାରତର କେବଳ ଏକମାତ୍ର ଆଥ୍‌ଲେଟ୍‌ ଆରିଫ ମହମ୍ମଦ ଖାନ (ସ୍କିୟର) ଅଂଶଗ୍ରହଣ କରିଛନ୍ତି।

Share