ନୂଆଦିଲ୍ଲୀ,୨୭ା୮: ବର୍ତ୍ତମାନର ପରିସ୍ଥିତିକୁ ନେଇ ଉଭୟ ସରକାର ଓ ସାଧାରଣ ଜନତା ଚାପରେ ଥିବା ବେଳେ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ୭.୪% ହାରରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ। ଭାରତର ଦରଦାମ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ହାରକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି। ବର୍ତ୍ତମାନର ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆର୍ବିଆଇ ମଧ୍ୟ ନିଜର ମୁଦ୍ରାନୀତିରେ ପରିବର୍ତ୍ତନ କରୁଛନ୍ତି। ସେହିପରି ଆର୍ଥିକ ବର୍ଷ ୨୦୨୩-୨୪ରେ ମଧ୍ୟ ବିକାଶ ହାର ଏହି ସ୍ତରରେ ରହିବା ଆଶା କରାଯାଉଛି ବୋଲି ନିର୍ମଳା କହିଛନ୍ତି। ଅପରପକ୍ଷରେ ନିର୍ବାଚନ ପୂର୍ବରୁ ମାଗଣା ଉପହାର ଦେବାର ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳ କ୍ଷମତାକୁ ଆସିବା ପରେ ହେବାକୁ ଥିବା ଖର୍ଚ୍ଚ ପାଇଁ ବଜେଟରେ ପ୍ରାବଧାନ କରିବା ଜରୁରୀ ବୋଲି ନିର୍ମଳା ମତ ପ୍ରକାଶ କରିଛନ୍ତି। ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ମାଇକେଲ ଦେବବ୍ରତ ପାତ୍ର କହିଛନ୍ତି, ମୁଦ୍ରାସ୍ଫୀତି ଏବେ ବି ଚିନ୍ତାର ବିଷୟ ହୋଇ ରହିଛି। ଏପରିକି ଭୂ-ରାଜନୈତିକ ଗତିବିଧି ଏବଂ ଅନ୍ତଃରାଷ୍ଟ୍ରୀୟ ବଜାରରେ ପଦାର୍ଥଗୁଡିକର ମୂଲ୍ୟବୃଦ୍ଧି ଏହା ପଛର କାରଣ ବୋଲି ସେ କହିଛନ୍ତି।