Categories: ଖେଳ

‘ଭାରତ ପାଇଁ ବଡ଼ ଆଶ୍ୱସ୍ତିକର ବିଷୟ’ କହି ଟ୍ରୋଲ୍‌ ହେଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ୍‌,୨୧।୮: ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସ ଏକ ଟୁଇଟ କରି ଟ୍ରୋଲ ହୋଇଛନ୍ତି। ପାକିସ୍ତାନ ବୋଲର ଶାହିନ ଆଫ୍ରିଦି ଏସିଆ କପ ୨୦୨୨ରୁ ବିଦାୟ ନେଇଥିବା ଖବରକୁ ଭାରତର ଉପର ଅର୍ଡର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ବୋଲି ସେ ଟୁଇଟ୍‌ ଯୋଗେ କହିଛନ୍ତି। ଏହି ଟୁଇଟ ପରେ ଏବେ ଭାରତର ପ୍ରଶଂସକମାନେ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି।
ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଶାହିନ ଆଫ୍ରିଦି ଏସିଆ କପ୍‌ରୁ ବାଦ ପଡିଛନ୍ତି। ସେ ପାକିସ୍ତାନ ଦଳର ଆଗଧାଡିର ବୋଲର। ଗତ ଟି-୨୦ ବିଶ୍ୱକପ୍‌ରେ ସେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଉଇକେଟ ନେଇ ପାକିସ୍ତାନର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥର ଏସିଆ କପରେ ୨୮ ଅଗଷ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପ୍ରଶଂସକମାନେ ଗତଥର ଭଳି ଶାହିନଙ୍କଠାରୁ ଭଲ ବୋଲିଂ ଆଶା କରିଥିଲେ। କିନ୍ତୁ ଶନିବାର ଦିନ ଏସିଆ କପ୍‌ରୁ ବାଦ୍‌ ପଡିବା ପାକିସ୍ତାନ ଦଳର ପ୍ରଶଂସକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି।
ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସଙ୍କ ଶାହିନଙ୍କ ପାଇଁ ଟୁଇଟ କରିଥିଲେ,ସେ ଲେଖିଛନ୍ତି, ଶାହିନଙ୍କ ଆଘାତ ଭାରତର ଟପ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ତାଙ୍କୁ ଏସିଆ କପରେ ଦେଖି ପାରିବି ନାହିଁ, ଏଥିପାଇଁ ମୁଁ ନିରାଶ ଅଛି। ଶୀଘ୍ର ଫିଟ ହୋଇଯାଅ ଶାହିନ୍‌।
ୱାକରଙ୍କ ଏହି ଟୁଇଟ୍‌ ପରେ ଭାରତୀୟ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ। ଜଣେ ୟୁଜର୍ସ କହିଛନ୍ତି, ମ୍ୟାଚ୍‌ ପୂର୍ବରୁ ପରାଜୟ ସ୍ବୀକାର କରୁଛି ପାକିସ୍ତାନ। ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, ଯଦି ଆପଣଙ୍କ ଦଳ କେବଳ ଜଣେ ଖେଳାଳିଙ୍କ ସହ ଦୌଡୁଛି, ତେବେ ଆପଣଙ୍କ ଦଳ ଏକ ପରିହାସ।

Share