ବ୍ରିଟେନ୍‌ ରୟାଲ ଟ୍ରେଜେରିରେ ଭାରତୀୟ ରତ୍ନ ଅଳଙ୍କାର

ଲଣ୍ଡନ: ବ୍ରିଟିଶ୍‌ ଶାସନ କାଳରେ ଭାରତରୁ ବହୁ ମୂଲ୍ୟବାନ୍‌ ରତ୍ନ ପଥର, ଗହଣା ଇଂରେଜମାନେ ଜୋର ଜବରଦସ୍ତି ଓ ରାଜନୈତିକ ଜାଲ ବିଛାଇ ହାତେଇ ନେଇଥିଲେ। ତେବେ ଭାରତର କେଉଁ କେଉଁ ମୂଲ୍ୟବାନ୍‌ ରତ୍ନପଥର ଏବେ ବ୍ରିଟିଶ୍‌ ରାଜପରିବାର ସିନ୍ଦୁକରେ ଶୋଭା ପାଉଛି ସେ ନେଇ ଉପନିବେଶ ବେଳର ଏକ ଫାଇଲ୍‌କୁ ନେଇ ଚର୍ଚ୍ଚା ହେଉଛି। ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜେଜେ ମା’ କୁଇନ୍‌ ମ୍ୟାରୀଙ୍କ ତତ୍ତ୍ୱାବଧାନରେ ଏହି ୪୬ ପୃଷ୍ଠା ସମ୍ବଳିତ ଫାଇଲ୍‌ ପ୍ରସ୍ତୁତ କରାଯାଇଥିଲା।
ମହାରାଜା ରଞ୍ଜିତ ସିଂ ତାଙ୍କ ଘୋଡ଼ାକୁ ସଜାଇବାରେ ବ୍ୟବହାର କରୁଥିବା ସୁନାର ଆଭୂଷଣ ଏବେ ବ୍ରିଟେନ୍‌ ରାଜା କିଙ୍ଗ୍‌ ଚାଲର୍‌ସଙ୍କ ରୟାଲ କଲେକ୍ସନ୍‌ରେ ଯୋଖାଯାଇଛି। ଚାଲର୍‌ସ ବ୍ୟବହାର କରୁଥିବା ପାନାର ବେଲ୍ଡ ମଧ୍ୟ ଭାରତର ବୋଲି ଉକ୍ତ ଫାଇଲ୍‌ରେ ଦର୍ଶାଯାଇଛି। ସେହିପରି ମାଣିକରେ ତିଆରି ୩୨୫.୫ କ୍ୟାରେଟ୍‌ର ଶର୍ଟ ନେକ୍‌ଲେସ୍‌ ସାଙ୍ଗକୁ ୨୨୪ କ୍ୟାରେଟ୍‌ର ମୋତି ହାର ମଧ୍ୟ ଏବେ ବ୍ରିଟିଶ୍‌ ରାଜ ପରିବାରର ସମ୍ପତ୍ତି ପାଲଟିଛି। ଏହି ମୋତି ହାରକୁ ରାଜା ରଞ୍ଜିତ ସିଂଙ୍କଠାରୁ ନିଆଯାଇଥିବା କୁହାଯାଏ। ସେହିପରି ଦୁନିଆର ସବୁଠୁ ମୂଲ୍ୟବାନ୍‌ କୋହିନୁର ହୀରାକୁ ବ୍ରିଟିଶ୍‌ ଶାସକ ଭାରତରୁ ଲୁଟ୍‌ କରି ନେଇଥିଲେ। ଏହି ହୀରା ସ୍ବର୍ଗତ ମହାରାଣୀ ଏଲିଜବେଥ୍‌ ଦ୍ୱିତୀୟଙ୍କ ମୁକୁଟରେ ଖଞ୍ଜାଯାଇଥିଲା। ମେ’ ୬ ରେ ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ ସମାରୋହ ପାଳନ ହେବାକୁ ଥିବାବେଳେ ରାଜ ପରିବାରର ସମ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟାଭିଷେକ ପାଇଁ ନିମନ୍ତ୍ରଣ ପତ୍ର ଛପା ସରିଛି। ପାଖାପାଖି ୨୦୦୦ ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବ୍ୟବସ୍ଥା କରାଯାଇଛି।

Share