Categories: ଖେଳ

ଭାରତୀୟ ବାଳିକା, ବାଳକ ଯୋଡ଼ି ସେମିରେ

ଭୁବନେଶ୍ୱର, ୧୨।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ଉଭୟ ବାଳିକା ଓ ବାଳକ ଡବଲ୍ସ ସେମିଫାଇନାଲରେ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ବାଳିକା ଡବଲ୍ସ କ୍ୱାର୍ଟରଫାଇନାଲରେ ଭାରତର ମାୟା ରଜେଶ୍ୱରନ ରେବତୀ-ହରିଥା ଶ୍ରୀ ଭେଙ୍କଟେଶ ୨-୬, ୬-୪, ୧୦-୪ରେ ଥାଇଲାଣ୍ଡ ତରିତା ହଙ୍ଗ୍ସୟକ୍‌-ନାତ୍ରାଦା ସକୁଲଭଙ୍ଗଟାନାଙ୍କୁ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ବାଳକ ଡବଲ୍ସରେ ପ୍ରକାଶ ଶରଣ-ଶିବ୍‌ତେଜ ଶିର୍‌ଫୁଲ ୬-୪, ୬-୩ରେ ପାକିସ୍ତାନର ହାମ୍‌ଜା ରୋମାନ-ଅବୁବାକର ତହଲା ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚତ୍ଛନ୍ତି।
ବାଳିକା ସିଙ୍ଗଲ୍ସରେ ଭାରତର ହରିଥା ଶ୍ରୀ ଭେଙ୍କଟେଶ, ମାୟା ରାଜେଶ୍ୱରନ ରେଭତୀ ଏବଂ ବାଳକ ସିଙ୍ଗଲ୍ସରେ ଶିବତେଜ ଶିରଫୁଲେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ପ୍ରତିଯୋଗିତାର ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚଗୁଡ଼ିକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ହରିଥା ୬-୦, ୬-୩ ସେଟ୍‌ରେ ଶ୍ରୀଲଙ୍କାର ଗୀଥମି ରିୟାନା ଫର୍ନାଣ୍ଡୋ ଓ୍ବେଲଡେନିୟାଗେଙ୍କୁ ହରାଇ ଦେଇଛନ୍ତି। ସେହିପରି ଅନ୍ୟ ଏକ ମ୍ୟାଚରେ ମାୟା ମାଲେସିଆର ଜୁଇ ମ୍ୟାକ୍‌ଙ୍କୁ ୬-୧, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଶିବତେଜ ଉଜ୍‌ବେକିସ୍ତାନର ଅକମଲ ଅବଦୁଲାୟେଭଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ତେବେ ଅନ୍ୟତମ ଭାରତୀୟ ଖେଳାଳି ପ୍ରକାଶ ସରନ ପ୍ରି-କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି। ସେ କାଜାଖସ୍ତାନର ୟାରୋସ୍ଲାଭ ପେଶେନିଚ୍‌ନିଙ୍କଠାରୁ ୩-୬, ୩-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ବାଳିକା ବିଭାଗରେ ଅନ୍ୟ ଖେଳାଳିଙ୍କ ମଧ୍ୟରେ କାଜାଖସ୍ତାନର ଇଭା କୋରିଶେଭା ଓ ୟର୍କେଝାନ ଝାଣ୍ଟାୟେଭା, କୋରିଆର ଜିୟୁନ ଓ’ ଏବଂ ୟେରି ହଂ, ହଂକଂର ନିତ୍ୟା ବାଳକ୍ରିଷ୍ଣା ମଧୁରୀ, ଥାଇଲାଣ୍ଡର ତରିତା ହଂସ୍ୟୋକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ବାଳକ ବିଭାଗରେ ହଂକଂର ଆଲେକ୍ସ ଲାପ୍‌ ହାଙ୍ଗ ହୁଇ, ଥାଇଲାଣ୍ଡର ର୍ୟୁ କୋଟିକୁଲା, ପାକିସ୍ତାନର ଅବୁବାକର ତଲ୍‌ହା, କୋରିଆର ଓନମିନ କିମ୍‌, ଥାଇଲାଣ୍ଡର ଧର୍ମା ପାଣ୍ଟରଟର୍ନ, ମାଲେସିଆର ଅକିଲ ଅଦିବି ରହିମାନ ନିଜ ନିଜ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି।

Share