ଚାଇନା କମ୍ପାନୀର ୮୧ ଶହ କୋଟିର ନିବେଶକୁ ମନା କଲେ ଭାରତ ସରକାର…

ନୂଆଦିଲ୍ଲୀ/ବେଜିଂ,୨୩।୭ : ଭାରତରେ କାରବାର ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ଚାଇନା ଇଲେକ୍ଟ୍ରିକ କାର୍‌ କମ୍ପାନୀ ବିଓ୍ବାଇଡି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରକୃତରେ, ଏହି ଚାଇନିଜ କମ୍ପାନୀ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ସହଯୋଗରେ ଏକ ଇଲେକ୍ଟ୍ରିକ କାର୍‌ (ଇଭି) ଉତ୍ପାଦନ କାରଖାନା ଖୋଲିବାକୁ ଚାହୁଁଥିଲା। ତେବେ ଭାରତ ସରକାର ୧ ବିଲିୟନ ଡଲାର (ପ୍ରାୟ ୮୧ ବିଲିୟନ ଟଙ୍କା ଅବା ୮୧ ଶହ କୋଟି ) ବିନିଯୋଗ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାରଣ ଚାଇନ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି ସରକାର ଚିନ୍ତା କରୁଛନ୍ତି।

ଖବର ଅନୁଯାୟୀ, ଉଭୟ ଭାରତୀୟ ଏବଂ ଚାଇନା କମ୍ପାନୀ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ରେ ଆବେଦନ କରିଥିଲେ। ଏହି ଆବେଦନରେ ହାଇଦ୍ରାବାଦରେ ଏକ ଇଲେକ୍ଟ୍ରିକ ଯାନ କାରଖାନା ଖୋଲିବାକୁ କମ୍ପାନୀ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଚାଇନାର କମ୍ପାନୀ ବିଓ୍ବାଇଡି ଭାରତରେ ୧ ବିଲିୟନ ଡଲାର ବିନିଯୋଗ କରିବାକୁ ଚାହୁଁଥିଲା। ଉଭୟ କମ୍ପାନୀର ଆବେଦନ ଉପରେ, ଡିପିଆଇଆଇଟି ଅନ୍ୟ ବିଭାଗରୁ ସେମାନଙ୍କ ମତାମତ ଲୋଡିଥିଲା। ଗଣମାଧ୍ୟମ ରିପୋର୍ଟରେ ଜଣେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଏହି ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାରତରେ ଚାଇନାର କମ୍ପାନୀର ପୁଞ୍ଜି ବିନିଯୋଗ ସମ୍ପର୍କରେ ସୁରକ୍ଷା କାରଣ ଉପରେ ଆଲୋଚନା କରାଯାଇଥିଲା। ଅଧିକାରୀମାନେ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଥି ସହିତ ଅନ୍ୟ ଜଣେ ଅଧିକାରୀ କହିଥିଲେ ବିଦେଶୀ ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ ନିୟମ ଏହିପରି ଅନୁମତି ଦିଏ ନାହିଁ।

ଚାଇନାର ବୈଦ୍ୟୁତିକ ଯାନ କମ୍ପାନୀ ଡିପିଆଇଆଇଟି ଏବଂ ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ମିଳିତ ଭାବରେ ବାର୍ଷିକ ୧୦ ହଜାରରୁ ୧୫ ହଜାର ବୈଦ୍ୟୁତିକ କାର ଉତ୍ପାଦନ କରିବାକୁ ଯୋଜନା କରିଥିଲେ। ଏଥିରେ ମୁଖ୍ୟ ନିବେଶକ ଥିଲେ ମେଗା ଇଞ୍ଜିନିୟରିଂ। ଏଥି ସହିତ, ବିଓ୍ବାଇଡି ଏହାର ଟେକ୍ନୋଲୋଜି ସହିତ ଭାରତୀୟ କାର ବଜାରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଥିଲା।

Share