୨୦୨୭ ସୁଦ୍ଧା ଭାରତ ସରକାର ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ: ପେଟ୍ରୋଲିୟମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୯।୫ : ଭାରତ ୨୦୨୭ ସୁଦ୍ଧା ଡିଜେଲ ଯାନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଉଚିତ ଏବଂ ଲୋକମାନେ ଡିଜେଲ ଯାନ ବଦଳରେ ବୈଦ୍ୟୁତିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବା ଉଚିତ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ପ୍ୟାନେଲ ଦ୍ୱାରା କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦିଆଯାଇଛି।

ସହରର ଜନସଂଖ୍ୟା ଅନୁଯାୟୀ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ୟାନେଲ ଯୋଜନା ପ୍ରସ୍ତୁତ କରିଛି। ଯାହା ଅନୁଯାୟୀ, ଏକ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ, ଇଲେକ୍ଟ୍ରିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। କାରଣ ଏହିପରି ସହରଗୁଡ଼ିକରେ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ପ୍ୟାନେଲ ଇଲେକ୍ଟ୍ରିକ ଏବଂ ଗ୍ୟାସ ଚାଳିତ ଯାନଗୁଡିକର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ସୁପାରିଶ କରୁଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରେ ପୋଷ୍ଟ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି, ଗ୍ରୀନହାଉସ ଗ୍ୟାସ ନିର୍ଗତ ହେଉଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ।

ରିପୋର୍ଟ ଅନୁଯାୟୀ, ୨୦୭୦ ର ନିଟ ଶୂନ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି, କିନ୍ତୁ ଏଥିପାଇଁ କିଛି ବିଶେଷ ପ୍ରସ୍ତୁତି ଆବଶ୍ୟକ ହେବ। ରିପୋର୍ଟରେ ଏହା ସୂଚିତ କରାଯାଇଛି ୨୦୨୪ ପରଠାରୁ ସହର ପରିବହନରେ କୌଣସି ଡିଜେଲ ବସ ଯୋଡାଯିବା ଉଚିତ ନୁହେଁ ଏବଂ ୨୦୩୦ସୁଦ୍ଧା ବୈଦ୍ୟୁତିକ ନ ଥିବା କୌଣସି ସିଟି ବସ ଅନ୍ତର୍ଭୂକ୍ତ କରାଯିବା ଉଚିତ ନୁହେଁ।

Share