ଟାଇମ୍ସ୍‌ ରିପୋର୍ଟ ନେଇ ଭାରତ ସରକାରଙ୍କ ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଖ୍ୟାତି ସମ୍ପନ୍ନ ଅନ୍ତର୍ଜାତୀୟ ପତ୍ରିକା ଟାଇମ୍ସ୍‌ରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ନେଇ ଭାରତ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଅଧିକ ଭୟଙ୍କର ରୂପ ଦେବ। ଦେଶରେ ବାୟୁ ପ୍ରଦୂଷଣ ୧ ପ୍ରତିଶତ ବୃଦ୍ଧି ପାଇଲେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫.୭ ପ୍ରତିଶତ ବଢ଼ିଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଭାରତର ବହୁ ସହର ପୃଥିବୀର ପ୍ରଦୂଷିତ ଅଞ୍ଚଳ ତାଲିକା ମଧ୍ୟରେ ସ୍ଥାନ ପାଇଛି। ଏସବୁ ସହରରେ ଲୋକ ବାୟୁ ପ୍ରଦୂଷଣ ଯୋଗୁ ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହୋଇଥାନ୍ତି। ଏଭଳି ଲୋକ କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କକୁ ବଞ୍ଚାଇବା କଷ୍ଟକର ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ତେଣୁ ବାୟୁ ପ୍ରଦୂଷଣ କମାଇବା ଅପରିହାର୍ଯ୍ୟ। ଜଳବାୟୁ ପରିବର୍ତ୍ତନରେ ବଡ଼ ଧରଣର ପରିବର୍ତ୍ତନ ଘଟିଲେ କରୋନା ସଂକ୍ରମଣକୁ କାବୁ କରିବା ଅସମ୍ଭବ ହୋଇ ପଡ଼ିବ। ଏହା ଭୟଙ୍କର ରୂପ ନେଇ ତାଣ୍ଡବ ରବିବାର ଆଶଙ୍କା ରହିଥିବା ରିପୋର୍ଟରେ ସତର୍କ ସୂଚନା ଜାରି କରାଯାଇଛି।

Share