ଇନ୍‌ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍‌ବୁକ ଦେଲା ପୁରସ୍କାର

ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍‌ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ମୁତାବକ ମହାରାଷ୍ଟ୍ରରେ ରହୁଥିବା ୨୧ବର୍ଷୀୟ ମୟୁର ନାମକ ଜଣେ ଭାରତୀୟ ଡେଭଲପର ଫେସ୍‌ବୁକର ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଏକ ବଡ଼ ତ୍ରୁଟି ବାହାର କରିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ଫେସ୍‌ବୁକ ତାଙ୍କୁ ପୁରସ୍କୁତ କରିଛି। ସୂଚନାଯୋଗ୍ୟ, ଯେତେବେଳେ ଉଭୟ ଆକାଉଣ୍ଟଧାରୀ ପରସ୍ପରକୁ ଫଲୋ କରନ୍ତି ସେତେବେଳେ ହିଁ ବ୍ୟକ୍ତିଗତ ଆକାଉଣ୍ଟକୁ ସେମାନେ ଇନ୍‌ଷ୍ଟାଗ୍ରାମରେ ଦେଖିପାରନ୍ତି। କିନ୍ତୁ ଏହି ତ୍ରୁଟି ଯୋଗୁ ଇନ୍‌ଷ୍ଟାଗ୍ରାମରେ କୌଣସି ବ୍ୟକ୍ତି ଅନ୍ୟ ଆକାଉଣ୍ଟର ଗୋପନୀୟତାକୁ ଅତି ସହଜରେ ଦେଖିପାରିବେ। ଫଳରେ ୟୁଜର୍ସମାନଙ୍କୁ ଗୋପନୀୟତା ନ ରହିବା ସହ ଅନ୍ୟମାନେ ଖରାପ୍‌ ଉଦ୍ଦେଶ୍ୟରେ ଏହାର ଫାଇଦା ମଧ୍ୟ ଉଠାଇପାରନ୍ତି। ଏପ୍ରିଲ ୧୬ରେ ଇନ୍‌ଷ୍ଟାଗ୍ରାମର ଏହି ସମସ୍ୟା ବିଷୟରେ ମୟୁର ଫେସ୍‌ବୁକକୁ ସୂଚନା ଦେଇଥିଲେ। ତେବେ ଇନ୍‌ଷ୍ଟାଗ୍ରାମର ଏହି ସମସ୍ୟାକୁ ଫେସ୍‌ବୁକ ସ୍ବୀକାର କରିବା ସହ ଏହି ତ୍ରୁଟିକୁ ସଂଶୋଧିତ କରାଯାଇଛି। ସଧାରଣତଃ ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନ ହୁଏ ସେପର୍ଯ୍ୟନ୍ତ ବାଉଣ୍ଟି ହଣ୍ଟର୍ସଙ୍କୁ ଏହାକୁ ଗୁପ୍ତ ରଖିବାକୁ କୁହାଯାଇଥିଲା। ଯେପରି ଅନ୍ୟମାନେ ଏହାର ଫଇଦା ନ ଉଠାନ୍ତି। ତେବେ ମୟୁରଙ୍କ ଏହି କାର୍ଯ୍ୟ ପାଇଁ ଫେସ୍‌ବୁକ ତାଙ୍କୁ ବାଉଣ୍ଟି ଭାବେ ୩୦ହଜାର ଡଲାର(ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୨୨ଲକ୍ଷ ଟଙ୍କା) ପୁରସ୍କାର ରାଶିରେ ପୁରସ୍କୃତ କରିଛି। ଏନେଇ ଫେସବୁକ୍‌ ତାଙ୍କୁ ଇମେଲ ଜରିଆରେ ସୂଚନା ଦେଇଥିବା ଜଣାପଡ଼ିଛି।

 

 

 

Share