Categories: ଖେଳ

ଚୂରମାର ହୋଇଗଲା ସ଼୍ବର୍ଣ୍ଣର ସ଼୍ବପ୍ନ, ସେମିଫାଇନାଲ୍‌ରେ ହାରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ, ୦୭।୦୮: ଭାରତୀୟ ହକି ଟିମ୍‌କୁ ନେଇ ଥିବା ପଦକ ବିଜୟ ଆଶା ମଉଳି ଯାଇଛି । ପ୍ୟାରିସ୍‌ ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ଜର୍ମାନୀ ବପକ୍ଷରେ ଦଳ ୩-୨ରେ ପରାଜୟ ବରଣ କରିଛି । ଜର୍ମାନୀର ମାର୍କୋ ମିଲ୍‌ତକୋ ଶେଷ ମିନିଟ୍‌ରେ ଗୋଲ୍‌ କରି ଇଣ୍ଡିଆ ଟିମ୍‌ ହାତରୁ ବିଜୟକୁ ଛଡ଼ାଇ ନେଇଥିଲେ । ଏହା ପୂର୍ବରୁ ସ୍କୋର ୨-୨ରେ ରହିଥିଲା । ହେଲେ ମାର୍କୋଙ୍କ ଗୋଲ୍‌ ମୋଡ଼ ବଦଳାଇ ଦେବା ସହ ଭାରତ ହାତରୁ ପଦକ ଛଡ଼ାଇ ନେଇଥିଲା । ବର୍ତ୍ତମାନ ଦଳ ବ୍ରୋଞ୍ଜ ମେଡାଲ୍‌ ପାଇଁ ସ୍ପେନ୍‌ ସହ ମ୍ୟାଚ୍‌ ଖେଳିବ ।

ମ୍ୟାଚ ଆରମ୍ଭରେ ଭାରତକୁ ଅନେକ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଭାରତୀୟ ଦଳ ଏଥିରେ ସଫଳତା ପାଇପାରିନଥିଲେ। ଏହା ପରେ ସପ୍ତମ ମିନିଟରେ ଭାରତୀୟ ଅଧିନାୟକ ହରପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରରୁ ଗୋଟିଏ ଗୋଲ ସ୍କୋର କରିଥିଲେ। ତା’ପରେ ଭାରତୀୟ ହକି ଦଳ ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଗୋଞ୍ଜାଲୋ ପେଲେଟ ଜର୍ମାନୀ ପାଇଁ ଗୋଲ ସ୍କୋର କରି ମ୍ୟାଚରେ ସ୍କୋରକୁ ୧-୧ କରିଥିଲେ। ୧୮ ମିନିଟରେ ଗୋଲ ସ୍କୋର କରି ଗୋଞ୍ଜାଲୋ ଦଳକୁ ବରାବର କରିଥିଲେ । ଏହାର କିଛି ସମୟ ପରେ, ୨୭ତମ ମିନିଟରେ, କ୍ରିଷ୍ଟୋଫର ରୁଡ ଜର୍ମାନୀ ପାଇଁ ଏକ ଗୋଲ ସ୍କୋର କରିଥିଲେ । ଏହା ସହ ଜର୍ମାନୀ ମ୍ୟାଚରେ ୨-୧ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାଟର୍ର୍‌ ସଂପୂର୍ଣ୍ଣ ଭାବେ ଜର୍ମାନୀ ପକ୍ଷରେ ଥିଲା ।

ତୃତୀୟ କ୍ୱାର୍ଟରରେ ଭାରତୀୟ ହକି ଦଳ ଆକ୍ରମଣାତ୍ମକ ଖେଳି କ୍ରମାଗତ ଭାବରେ ଜର୍ମାନ ପ୍ରତିରକ୍ଷା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସମସ୍ତ ଖେଳାଳି ମିଳିତ ଭାବରେ ଖେଳି ସ୍କୋରକୁ ସମାନ କରିବାକୁ ଚେଷ୍ଟା ଚଳାଇଥିଲେ । ଏହା ପରେ ସୁଖଜିତ ସିଂ ୩୬ ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ସ୍କୋର ୨-୨ ସହ ସମାନ ହୋଇଥିଲା। ଏହି କ୍ୱାର୍ଟରରେ ଭାରତୀୟ ଦଳ ଜର୍ମାନ ଦଳ ଉପରେ ଭାରି ପଡ଼ିଥିଲା ଏବଂ ବିପକ୍ଷ ଦଳକୁ ଗୋଟିଏ ବି ସୁଯୋଗ ଦେଇନଥିଲା।

ଚତୁର୍ଥ କ୍ୱାର୍ଟର ଶେଷ ହେବାର କିଛି ମିନିଟ ପୂର୍ବରୁ ଭାରତୀୟ ଦଳ ଗୋଟିଏ ଗୋଲ ଖାଇଥିଲେ ା ୫୪ ମିନିଟରେ ଜର୍ମାନୀ ପାଇଁ ମାର୍କୋ ମିଲ୍ଟକୋ ଗୋଲ ସ୍କୋର କରିଥିଲେ। ଜର୍ମାନୀ ମ୍ୟାଚକୁ ୩-୨ରେ ଜିତିନେଇଥିଲା ଏବଂ ଭାରତର ସ଼୍ବର୍ଣ୍ଣ ସ଼୍ବପ୍ନ ଚୂରମାର ହୋଇଥିଲା ।

Share