Categories: ଖେଳ

ପ୍ୟାରିସ୍‌ ଅଭିମୁଖେ ଭାରତୀୟ ହକି ଦଳ

ବେଙ୍ଗାଲୁରୁ, ୯।୭: ପ୍ୟାରିସ ଅଲିମ୍ପିକ୍ସ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ। ଏଥିରେ ଭାଗ ନେବାପାଇଁ ଭାରତୀୟ ପୁରୁଷ ହକି ଦଳ ସୋମବାର ପ୍ୟାରିସ ଅଭିମୁଖେ ଯାତ୍ରା କରିଛି। ଏହି ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଦଳ ସୁଇଜରଲାଣ୍ଡ ଯାଇ ମୋଟିଭେଶନାଲ ସ୍ପିକର ମାଇକ୍‌ ହନର୍‌ସଙ୍କସହ ୩ ଦିନ ମାନସିକ ଦୃଢ଼ତା ଉପରେ କାର୍ଯ୍ୟ କରିବ। ଏହାପରେ ନେଦରଲାଣ୍ଡ୍ସ ଯାଇ ପ୍ରାକ୍ଟିସ ମ୍ୟାଚ ଗୁଡ଼ିକ ଖେଳିବ। ସେଠାରେ ଅନ୍ତିମ ପର୍ଯ୍ୟାୟ ଟ୍ରେନିଂ ସାରିବାପରେ ଭାରତୀୟ ଦଳ ୨୦ ତାରିଖରେ ସିଟି ଅଫ୍‌ ଲାଇଟ (ପ୍ୟାରିସ)ରେ ପହଞ୍ଚିବ।

ପୁଲ୍‌ ‘ବି’ରେ ସ୍ଥାନ ପାଇଥିବା ଭାରତୀୟ ଦଳ ପ୍ୟାରିସରେ ଅଲିମ୍ପିକ୍ସ ଅଭିଯାନ ୨୭ ତାରିଖରେ ଆରମ୍ଭ କରିବ। ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେବ ନ୍ୟୁଜିଲାଣ୍ଡ। ଏହାପରେ ୨୯ରେ ଆର୍ଜେଣ୍ଟିନା, ୩୦ରେ ଆୟର୍ଲାଣ୍ଡ ଓ ଅଗଷ୍ଟ ୧ରେ ବେଲ୍‌ଜିୟମକୁ ଭେଟିବ। ଅଗଷ୍ଟ ୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳି ଭାରତ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ। ଟପ୍‌-୪ ଫିନିଶ୍‌ କରିପାରିଲେ ଭାରତୀୟ ଦଳ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିବ। ”ବେଙ୍ଗାଲୁରୁସ୍ଥିତ ସାଇ କ୍ୟାମ୍ପରେ ଆମେ ଦୁଇ ସପ୍ତାହଧରି କଠିନ ପରିଶ୍ରମ କରିଛୁ। ସୁଇଜରଲାଣ୍ଡରେ ମାଇକ୍‌ ହର୍ନ (ଅତ୍ୟଧିକ ଦୁଃସାହସିକ କାର୍ଯ୍ୟସହ ସମ୍ପୃକ୍ତ ଯୋଗୁ ଭୟ ଉପରେ ବିଜୟ ହାସଲ ପାଇଁ ବିଶେଷ ପରିଚିତ)ଙ୍କ ସହ ଅଳ୍ପକିଛିଦିନ ବିତାଇବାପରେ ଆମେ ନେଦରଲାଣ୍ଡ୍ସ ଯାଇ ଆମେ ଘରୋଇ ଦଳ ଓ ମାଲେସିଆ ବିପକ୍ଷରେ କେତେକ ଅଭ୍ୟାସ ମ୍ୟାଚ ଖେଳିବୁ। ଏହାପରେ ଆମେ ପ୍ୟାରିସ ଯିବୁ। ଶେଷ ପର୍ଯ୍ୟାୟ ଟ୍ରେନିଂ ପାଇଁ ସମ୍ପୂର୍ଣ୍ଣ ଦଳ ହାଇ ସ୍ପିରିଟରେ ଅଛି ଏବଂ ଆମେ ଏଥିରେ ଏକାଗ୍ର ହେଉଛୁ“ ବୋଲି ଅଧିନାୟକ ହରମନପ୍ରୀତ ସିଂ ପ୍ରକାଶ କରିଛନ୍ତି।

ଅଧିନାୟକ ହରମନପ୍ରୀତଙ୍କ ସହ ଏକମତ ହୋଇଛନ୍ତି ଉପ-ଅଧିନାୟକ ହାର୍ଦ୍ଦିକ ସିଂ। ”ଭାରତୀୟ ଦଳର ଟ୍ରେନିଂ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ଲଣ୍ଡନ ଓ ଆଣ୍ଟ୍ବେର୍ପରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଆମର ଥିବା ଦୁର୍ବଳ ବିଭାଗ ଉପରେ ଆମେ ବେଙ୍ଗାଲୁରୁ କ୍ୟାମ୍ପରେ କାମ କରିଛୁ। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ଭାଗ ନେଉଛନ୍ତି। ଆମେ ମଧ୍ୟ ଏହାର ମୁକାବିଲା କରି ଭାରତକୁ ଗର୍ବିତ କରିବାକୁ ପ୍ରସ୍ତୁତ“ ବୋଲି ହାର୍ଦ୍ଦିକ ପ୍ରକାଶ କରିଛନ୍ତି।

Share