ପ୍ରଥମେ ଶୋ’ରୁ କଲେ ବାହାର, ଏବେ ଦେଲେ ଖାସ୍‌ ଅଫର୍‌; ଭତ୍ସନା କରୁଛନ୍ତି ପ୍ରଶଂସକ

ବମ୍ବେ: ଲୋକପ୍ରିୟତା ଅପେକ୍ଷା ଏବେ ବିବାଦରେ ଅଧିକ ରହୁଛି ସିଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’। ଦେଶର ସବୁଠାରୁ ବଡ ଶୋ’ ହୋଇଥିଲେ ହେଁ ଏହା ଏବେ ପ୍ରଶଂସକଙ୍କୁ ନିରାଶ କରୁଛି। ବିଗତ କିଛି ବର୍ଷ ଧରି କିଛି ନା କିଛି ବିବାଦକୁ ନେଇ ଶୋ’ ଚର୍ଚ୍ଚାରେ ରହୁଛି। ନିକଟରେ ଶୋ’ର ନୂଆ ସିଜନ୍‌ ଆରମ୍ଭ ହୋଇଥିଲେ ହେଁ ପୁଣି ଏହା ବିବାଦରେ ଛନ୍ଦି ହୋଇଛି।

ଅରୁଣାଚଳ ପ୍ରଦେଶର ପ୍ରତିଯୋଗୀ ରିତୋ ରିବାଙ୍କୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ରିତୋ ଅଡିଶନ ରାଉଣ୍ଡରେ ନିଜର ସୁମଧୁର ସ୍ବର ଯୋଗେ ଲକ୍ଷାଧିକ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ନିଜେ କମ୍ପୋଜ କରିଥିବା ଗୀତକୁ ଏତେ ସୁନ୍ଦର ଭାବେ ସେ ଗାଇଲେ ଯେ ବିଚାରପତିଙ୍କ ସମେତ ଦେଶବାସୀ ପ୍ରଶଂସା କରିଥିଲେ। ହେଲେ ଦ୍ୱିତୀୟ ରାଉଣ୍ଡରେ ହିମେଶ ରେଶମିଆ ରିତୋଙ୍କୁ ତୁରନ୍ତ ଏକ ଗୀତ ଲେଖି ଗାଇବାକୁ କହିଥିଲେ। ଏଥର ମଧ୍ୟ ସେ କାହାକୁ ନିରାଶ କରି ନ ଥିଲେ। ସମସ୍ତେ ତାଙ୍କ ଗୀତକୁ ପସନ୍ଦ କରିଥିଲେ ହେଁ ତାଙ୍କୁ ଅଯୋଗ୍ୟ ବୋଲି କହିଥିଲେ, ଯାହାକି ଅନେକଙ୍କୁ ଚକିତ କରିଛି। ରିତୋଙ୍କ ଗାଇବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଶୋ’କୁ ନେଇ ପ୍ରତିବାଦ କରୁଛନ୍ତି।

ନିଜ ସ୍ବପ୍ନକୁ ପୂରଣ କରିବାକୁ ରିତୋ ପ୍ରତିଯୋଗୀ ଭାବେ ଆସିଥିଲେ। ହେଲେ ତାଙ୍କୁ ପସନ୍ଦ କରି ବାହାର କରିଦେବା ନିହାତି ଭାବେ ପ୍ରାୟୋଜିତ ବୋଲି କୁହାଯାଉଛି। ଏପରିକି ତାଙ୍କୁ ଶୋ’ରେ ପୁନର୍ବାର ନିଆଯାଉ ବୋଲି ଦାବି ହେଉଛି। ଲୋକଙ୍କ ଭଲପାଇବା ଦେଖି ରିତୋ ନିଜର ସୋସିଆଲ ପୃଷ୍ଠାରେ କିଛି ବାର୍ତ୍ତା ଶେୟାର କରିଛନ୍ତି। ପ୍ରଶଂସକଙ୍କୁ ନିରାଶ ନ ହେବାକୁ ସେ କହିଛନ୍ତି।

ଏସବୁ ମଧ୍ୟରେ ରିତୋଙ୍କ ପୋଷ୍ଟରେ ଶୋ’ର ବିଚାରପତି ଥିବା ବିଶାଲ ଦଦଲାନୀ କମେଣ୍ଟ କରିଛନ୍ତି। ସେ ଗାୟକଙ୍କୁ ଏକ ଖାସ୍‌ ଅଫର ବି ଦେଇଛନ୍ତି। ତୁମେ ଭିନ୍ନ କଳାରେ ଜନ୍ମ ହୋଇଛ, ତୁମେ ଜଣେ ଷ୍ଟାର। ତୁମର ସବୁ ଗୀତ ହିଟ୍‌, ଯଦି ତୁମକୁ କେବେ ଗୀତଗୁଡ଼ିକୁ ରେକର୍ଡ କରିବା ଲାଗି ସହାୟତା ଦରକାର ପଡେ ତେବେ ସେ ଅଛନ୍ତି ବୋଲି ବିଶାଲ କହିଛନ୍ତି। ତେବେ ବିଶାଲଙ୍କ ଅଫର ନିଆଁରେ ଘିଅ ଢ଼ାଳିବା କାମ କରିଛି। ଯଦି ବିଶାଲଙ୍କୁ ତାଙ୍କ କାମ ଭଲ ଲାଗିଛି ଏବଂ ସେ ତାଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ କାହିଁକି ତାଙ୍କୁ ଟପ୍‌ ୧୫ରେ ନିଆ ଗଲାନାହିଁ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି।

Share