‘ଇଣ୍ଡିଆନ୍‌ ଆଇଡଲ୍‌ ୧୩’ ର ବାସ୍ତବିକତା: ଶୋ’ରୁ ବାଦ୍‌ ପଡ଼ିବା ପରେ ରିତୋ କହିଲେ…

ବମ୍ବେ: ବିବାଦରେ ଟେଲି ପରଦାର ସବୁଠାରୁ ବଡ଼ ଏବଂ ହିଟ୍‌ ସିଂଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ ୧୩। ଚଳିତ ବର୍ଷ ଏହାର ଅଡିଶନ୍‌ ରାଉଣ୍ଡରେ ପ୍ରତିଯୋଗୀ ରିତୋ ରିବାଙ୍କୁ ବାହାର କରିବାକୁ ନେଇ ବିବାଦ ଦେଖାଦେଇଛି। ପରିସ୍ଥିତି ଏଭଳି ଯେ ଶୋ’କୁ ବଏକଟ କରିବାକୁ ଦାବି ହେଉଛି। ଏହି କ୍ରମରେ ଜେମ୍ସ ଲିବାଙ୍ଗ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ପ୍ରସ୍ତୁତ କରି ଶେୟାର କରିଛନ୍ତି। ଭିଡିଓରେ ଇଣ୍ଡିଆନ ଆଇଡଲ୍‌ର ବାସ୍ତବିକତା କ’ଣ ତାହା ପ୍ରଶଂସକଙ୍କୁ ଜଣାଇଛନ୍ତି।

ଜଣେ ପ୍ରତିଯୋଗୀ କିଭଳି ଯୋଗ୍ୟତା ଥାଇ ମଧ୍ୟ ଚୟନ ହେଉ ନାହାନ୍ତି, ହେଲେ ଖରାପ ଗୀତ ଗାଇ କେବଳ କାନ୍ଦି କାନ୍ଦି କିଭଳି ଆଉ ଜଣେ ପ୍ରତିଯୋଗୀ ବିଚାରପତିଙ୍କ ହୃଦୟ ଜିତିବାରେ ସଫଳ ହେଉଛନ୍ତି ତାହା ଭିଡିଓରେ ଦେଖାଯାଇଛି। ସିଧା କଥା କହିଲେ ଶୋ’ରେ ପ୍ରତିଯୋଗୀଙ୍କ ଚୟନ ଯୋଗ୍ୟତା ଆଧାରରେ ନୁହେଁ ବରଂ ଭାବବିହ୍ବଳ କଲା ଭଳି ବ୍ୟକ୍ତିଗତ କାହାଣୀ ଆଧାରରେ କରାଯାଉଛି ବୋଲି ସେ ଦେଖାଇଥିଲେ। ଏହି ଭିଡିଓଟି ବେଶ ଭାଇରାଲ ହେବା ସହ ରିତୋ ନିଜର ଇନଷ୍ଟା ଷ୍ଟୋରୀରେ ଏହାକୁ ଶେୟାର କରିଛନ୍ତି।

କହିରଖୁଛୁ ଯେ, ଅରୁଣାଚଳ ପ୍ରଦେଶର ଗାୟକ ତଥା କମ୍ପୋଜର ରିତୋ ଇଣ୍ଡିଆନ ଆଇଡଲରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ସେ ଖୁବ୍‌ ସୁନ୍ଦର ଗାୟନଶୈଳୀ ଯୋଗେ ସମସ୍ତଙ୍କ ହୃଦୟ ଜିତିଥିଲେ ହେଁ ତାଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଏହାକୁ ନେଇ ପ୍ରଶଂସକ ଖପ୍ପା ହୋଇଥିଲେ। ଶୋ’କୁ ସେମାନେ ସ୍କ୍ରିପ୍ଟେଡ୍‌ କହିବା ସହ ବଏକଟ୍‌ କରିବାକୁ ଦାବି କରୁଛନ୍ତି।

Share